Latest Odisha News

Weatehr Update: ଅବପାତ ହେବନି, ବଢିବ ତାତି: ୪୧ ଡିଗ୍ରୀ ଛୁଇଁପାରେ ପାରଦ

ଭୁବନେଶ୍ୱର: ମନ୍ନାର ଉପସାଗର ଓ ଶ୍ରୀଲଙ୍କା ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲି ସକାଳେ ଉତ୍ତର ଶ୍ରୀଲଙ୍କା ଉପକୂଳସ୍ଥ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଜଡ଼ିତ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା କମ୍। ଆଗାମୀ ୪୮ ଘଣ୍ଟାରେ ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ। କିନ୍ତୁ ଅବପାତ ହେବାର କ୍ୱଚିତ୍ ସମ୍ଭାବନା ଅଛି।

ତେବେ ଆସନ୍ତା ୬ରୁ ୭ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ୧୬ ତାରିଖ ବେଳକୁ ରାଜ୍ୟରେ ୪୧ ଡିଗ୍ରୀ ଛୁଇଁପାରେ ପାରଦ। ମଙ୍ଗଳବାର ଟିଟିଲାଗଡ଼ରେ ତାତି ସର୍ବାଧିକ ୪୦ ଡିଗ୍ରୀ ଥିଲା। ସମ୍ବଲପୁରରେ ୩୯.୯, ଝାରସୁଗୁଡ଼ାରେ ୩୯.୨ ଓ ଭବାନୀପାଟଣାରେ ୩୯ ଡିଗ୍ରୀ ଥିଲା। ବୁଧବାର ଓ ଗୁରୁବାର ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିପାରେ।

ତେବେ ଉପକୂଳ ଓଡ଼ିଶାରେ ୩୫ରୁ ୩୮ ଡିଗ୍ରୀ ଭିତରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୫ ଓ ୧୬ ତାରିଖରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୧ ଡିଗ୍ରୀ ଛୁଇଁପାରେ। କିନ୍ତୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ତାତି ୪୦ ଡିଗ୍ରୀ ତଳେ ରହିବ ବୋଲି ଆକଳନ କରାଯାଇଛି। କାଳବୈଶାଖୀ ବର୍ଷା ପ୍ରଭାବରେ ୧୬ ତାରିଖ ଯାଏ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି।

Comments are closed.