ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଇଁ ବିଶ୍ବରେ ଅସ୍ଥିରତା ଲାଗିରହିଛି। ବର୍ତ୍ତମାନର ବିଶ୍ୱ ଶକ୍ତି ସଙ୍କଟ ସମୟରେ, ବିଭିନ୍ନ ଦେଶର ସରକାରମାନେ ନାଗରିକଙ୍କୁ ଇନ୍ଧନ ବ୍ୟବହାର କମେଇବା, ଯାତାୟାତ ସୀମିତ କରିବା ଓ ଶକ୍ତି ସଂରକ୍ଷଣ ପାଇଁ ଆହ୍ୱାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପେଟ୍ରୋଲ ଓ ଡିଜେଲ ସଞ୍ଚୟ କରିବା ଏବଂ ଅନାବଶ୍ୟକ ଖର୍ଚ୍ଚ କାଟ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଦେଶବାସୀଙ୍କୁ ଅନାବଶ୍ୟକ ସୁନା କ୍ରୟରୁ ଦୂରେଇ ରହିବା ଓ ବିଦେଶୀ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଗୁଜରାଟ ପରି ରାଜ୍ୟଗୁଡ଼ିକ ଏବେ ଇନ୍ଧନ ବଞ୍ଚାଇବାକୁ ଜରୁରୀ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଆହ୍ୱାନ କେବଳ ଦେଶବାସୀଙ୍କଠାରେ ସୀମିତ ନୁହେଁ ବରଂ ନିଜ କ୍ଷେତ୍ରରେ ମଧ୍ୟ ଲାଗୁ କରିଛନ୍ତି ଖୋଦ ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମରେ, ନିଜେ ବ୍ୟବହାର କରୁଥିବା କନଭୟ ଯାନବାହାନ ସଂଖ୍ୟା ଯଥେଷ୍ଟ ସୀମିତ କରିଦେଇଛନ୍ତି।
ମୋଦିଙ୍କ ଏହି ଆହ୍ୱାନ ମଧ୍ୟ ବିଶ୍ୱସ୍ତରୀୟ ପଦକ୍ଷେପର ଏକ ଅଂଶ। ଅନେକ ଦେଶ କେବଳ ଆହ୍ୱାନରେ ସୀମିତ ରହିନାହାନ୍ତି ବରଂ ଇନ୍ଧନ କମ୍ ବ୍ୟବହାର, ବାଧ୍ୟତାମୂଳକ ୱର୍କ-ଫ୍ରମ୍-ହୋମ୍, ଇନ୍ଧନ ସୀମା, ଯାତ୍ରା କମାଇବା ଭଳି କଠୋର ନୀତି ଲାଗୁ କରିଛନ୍ତି । ଯାହାଦ୍ୱାରା ୨୦୨୬ ତୈଳ ସଙ୍କଟକୁ ମୁକାବିଲା କରାଯାଉଛି। ପଶ୍ଚିମ ଏସିଆର ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି ଯେ ଯାନବାହାନର ବ୍ୟବହାର ଖୁବ କମ କରିବା ଉଚିତ। ମୋଦି ନିଜେ ଏହି ଅପିଲକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ମୋଦିଙ୍କ ସାମ୍ପ୍ରତିକ ଗୁଜରାଟ ଏବଂ ଆସାମ ଗସ୍ତ ସମୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥିବା ଦେଖିବାକୁ ମିଳିଛି।
ଏହି ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ କୌଣସି ବାଧା ଦିଆଯାଇ ନାହିଁ। ମୋଦିଙ୍କ ସୁରକ୍ଷା ଏବଂ SPG ପ୍ରୋଟୋକଲ ଅନୁଯାୟୀ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ବଜାୟ ରଖି ଯାନବାହାନ ସଂଖ୍ୟା ହ୍ରାସ କରାଯାଇଛି। ମୋଦି ହାଇଦ୍ରାବାଦରେ ଏହି ଅପିଲ କରିଥିଲେ। ଏହାର ତୁରନ୍ତ ପରେ, ଭରୋଡ୍ରା ଏବଂ ଗୌହାଟୀ ଗସ୍ତ ସମୟରେ ତାଙ୍କ କଲଭୟ ଯାନବାହାନ ସଂଖ୍ୟା ସୀମିତ କରାଯାଇଥିଲା।
ଅନ୍ୟପଟେ ଉତ୍ତରପ୍ରଦେଶରେ ସରକାରୀ ଗାଡ଼ି ବ୍ୟବହାରରେ ୫୦% ହ୍ରାସ ପାଇଁ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର କ୍ୟାବିନେଟ୍ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସରକାରୀ ଗାଡ଼ି ବ୍ୟବହାର ତୁରନ୍ତ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ସେ ସ୍ପଷ୍ଟ କରିଛନ୍ତି ଯେ ସରକାରୀ କାର୍ଯ୍ୟକ୍ରମରେ କୌଣସି ଅନାବଶ୍ୟକ ଗାଡ଼ି ରହିବ ନାହିଁ। ଏପରିକି ଜନପ୍ରତିନିଧିମାନଙ୍କୁ ସପ୍ତାହକୁ ଅତିକମରେ ଥରେ ସର୍ବସାଧାରଣ ପରିବହନ ବା ବସ୍-ଟ୍ରେନ୍ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ସପ୍ତାହକୁ ଅତିକମରେ ଦୁଇ ଦିନ ‘ୱାର୍କ ଫ୍ରମ୍ ହୋମ୍’ ଓ ଅନ୍ଲାଇନ୍ କ୍ଲାସ୍ କରିବାକୁ କୁହାଯାଇଛି, ଯାହାଫଳରେ ରାସ୍ତାରେ ଭିଡ଼ କମିବା ସହ ତେଲ ଖର୍ଚ୍ଚ ହ୍ରାସ ପାଇବ।
ମଧ୍ୟପ୍ରଦେଶରେ ଶୋଭାଯାତ୍ରା ଓ ବଡ଼ କନ୍ଭୟ ଉପରେ ରୋକ ଲଗାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନିଜ ସୁରକ୍ଷା କନ୍ଭୟରେ ଗାଡ଼ି ସଂଖ୍ୟାକୁ ୧୩ରୁ ୮କୁ କମାଇ ଦେଇଛନ୍ତି। ଗୁଜରାଟ ରାଜ୍ୟପାଳ ହେଲିକପ୍ଟର ଛାଡ଼ି ମେଟ୍ରୋ ଓ ବସ୍ରେ ଯାତ୍ରା କରିବାକୁ ଘୋଷଣା କରିଛନ୍ତି। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ କହିଛନ୍ତି ଯେ ଶକ୍ତି ସଙ୍କଟ ସ୍ବାଭାବିକ ନହେବା ପର୍ଯ୍ୟନ୍ତ ସେ ରାଜ୍ୟ ଭିତରେ କୌଣସି ହେଲିକପ୍ଟର ବା ବିମାନ ଯାତ୍ରା କରିବେ ନାହିଁ। ସେହିପରି ଦିଲ୍ଲୀ ପ୍ରଶାସନ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇ ଗୋଟିଏ ଗାଡ଼ିରେ ଅନେକ ଅଧିକାରୀ ଯିବା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ସହିତ ସାର୍ବଜନୀନ ପରିବହନ ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗୁରୁତ୍ବ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ମଧ୍ୟ ଇନ୍ଧନ ବ୍ୟବହାର ହ୍ରାସ କରିବା ଲାଗି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କନଭୟ ଯାନରେ ପ୍ରମୁଖ ହ୍ରାସ
ଏହା ବ୍ୟତୀତ, ମଙ୍ଗଳବାର ଦିନ ହିମନ୍ତ ବିଶ୍ୱ ଶର୍ମାଙ୍କ ଶପଥ ଗ୍ରହଣ ସମାରୋହ ସମୟରେ, ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଭାଷଣର ଏକ କପି ଦିଆଯାଇଥିଲା, ଯେଉଁଥିରେ ସେ ଦେଶବାସୀଙ୍କୁ ସଙ୍କଟ ସମୟରେ ସଂଯମ ବଜାୟ ରଖିବାକୁ ନିବେଦନ କରିଥିଲେ। ଏହି କାର୍ଯ୍ୟ ଯୋଜନାରେ EV ଯାନର ବ୍ୟବହାର ବୃଦ୍ଧି ଏବଂ ଅନଲାଇନରେ ବୈଠକ ଆୟୋଜନ ଅନ୍ତର୍ଭୁକ୍ତ ଥିଲା। ଶପଥ ଗ୍ରହଣ ଉତ୍ସବରୁ ଫେରିବା ପରେ, ଅନେକ ମୁଖ୍ୟମନ୍ତ୍ରୀ ସେମାନଙ୍କର କନଭୟ ହ୍ରାସ କରିଛନ୍ତି ଏବଂ ଅନ୍ୟାନ୍ୟ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।