ନୂଆଦିଲ୍ଲୀ/ଚେନ୍ନାଇ: ଦେଶର ସବୁଠାରୁ ବଡ଼ ମେଡିକାଲ୍ ପ୍ରବେଶିକା ପରୀକ୍ଷା ‘ନିଟ୍-ୟୁଜି’ (NEET-UG) ୨୦୨୬କୁ ନେଇ ଚାଲିଥିବା ବିବାଦ ଏକ ନୂଆ ମୋଡ଼ ନେଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଗତ ମେ’ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାକୁ ବାତିଲ କରିଦେଇଛି। ଏହି ଘଟଣାକୁ ନେଇ ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ଟିଭିକେ (TVK) ମୁଖ୍ୟ ବିଜୟ କେନ୍ଦ୍ରର ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି।
ତାମିଲନାଡୁ ରାଜନୀତିରେ ନୂଆ ଇତିହାସ ରଚିଥିବା ଅଭିନେତା ବିଜୟ ଥାଲାପତି, ନିଟ ପରୀକ୍ଷା ବାତିଲ ହେବା ପରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ନିଟ ପରୀକ୍ଷା ବାରମ୍ବାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି। ଏହି ପରୀକ୍ଷା ଦ୍ୱାରା କେବଳ କୋଚିଂ ନେଉଥିବା ଧନୀ ପରିବାରର ପିଲାମାନେ ଲାଭବାନ ହେଉଥିବା ବେଳେ ଗରିବ ଏବଂ ଗ୍ରାମାଞ୍ଚଳର ପିଲାମାନେ ବଞ୍ଚିତ ହେଉଛନ୍ତି।
”ନୀଟ୍ ପରୀକ୍ଷାକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯାଉ ଏବଂ ପୂର୍ବ ଭଳି ଦ୍ୱାଦଶ ଶ୍ରେଣୀ ମାର୍କ ଆଧାରରେ ମେଡିକାଲ୍ ନାମଲେଖା କରାଯାଉ,” ବୋଲି ବିଜୟ ଦାବି କରିଛନ୍ତି।
ମେ’ ୩ ତାରିଖରେ ହୋଇଥିବା ପରୀକ୍ଷାର ପ୍ରଶ୍ନପତ୍ର କିଛି ସ୍ଥାନରେ ଲିକ୍ ହୋଇଥିବା ନେଇ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ଏହି ‘ଗେସ୍ ପେପର’ ପରୀକ୍ଷାର କିଛି ଘଣ୍ଟା ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାର ଏହାକୁ ବାତିଲ କରିବା ସହ CBI ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସାରା ଦେଶରେ ପ୍ରାୟ ୨୩ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ, ଯେଉଁମାନେ ଏବେ ଅନିଶ୍ଚିତତା ମଧ୍ୟରେ ଅଛନ୍ତି।
NTA ସୂଚନା ଦେଇଛି ଯେ ଆଗାମୀ ୭ ରୁ ୧୦ ଦିନ ମଧ୍ୟରେ ପୁନଃ-ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯିବ।
ପେପର ଲିକ୍ ପଛରେ ଥିବା ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ସିବିଆଇ ବିଭିନ୍ନ ରାଜ୍ୟରେ ଚଢ଼ାଉ ଜାରି ରଖିଛି।
ବିଜୟଙ୍କ ବ୍ୟତୀତ ବିରୋଧୀ ଦଳ ନେତା ଏମ.କେ. ଷ୍ଟାଲିନ୍ ମଧ୍ୟ ନିଟକୁ ଏକ ‘ବଡ଼ ଘୋଟାଲା’ ବୋଲି କହିଛନ୍ତି। ତାମିଲନାଡୁ ବିଧାନସଭାରେ ପୂର୍ବରୁ ନିଟ ବିରୋଧରେ ବିଲ୍ ପାସ୍ ହୋଇସାରିଛି, କିନ୍ତୁ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି। ବିଜୟ ଏବେ ନିଜର ଶକ୍ତି ବ୍ୟବହାର କରି କେନ୍ଦ୍ର ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି।
ସୂଚନାଯୋଗ୍ୟ, ନିଟ ପରୀକ୍ଷାର୍ଥୀମାନଙ୍କୁ NTA ର ଅଫିସିଆଲ୍ ୱେବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ନୂଆ ଆଡମିଟ୍ କାର୍ଡ ଖୁବ୍ ଶୀଘ୍ର ଜାରି କରାଯିବ।