Latest Odisha News

BREAKING NEWS

Nepal girl’s letter to PM: “ଭୋଟ ଦେଲୁ…ଭାଙ୍ଗିଦେଲ ଘର…?”, କଅଁଳ ଆଖିରେ ଲୁହ…ମନରେ ଅନେକ ପ୍ରଶ୍ନ…ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

କାଠମାଣ୍ଡୁ: “ଏବେ ଆମେ ରହିବୁ କେଉଁଠି?”…“କେଉଁଠି ପଢିବୁ ପାଠ”…’ଆମେ ତୁମକୁ ଭୋଟ ଦେଇଥିଲୁ…ତୁମେ ଆମ ଘର ଭାଙ୍ଗିଦେଲ”…କୁନି ଆଖି ଆଗରେ ଭୁଶୁଡି ପଡିଲା ସପନର କୁଡିଆ । ଏବେ କରିବ କ’ଣ…ମନରେ ଅଶୁମାରୀ ପ୍ରଶ୍ନ ନେଇ ସିଧା ପ୍ରଧାନମନ୍ତ୍ରୀଙ୍କୁ ଲେଖିଲା ଚିଠି । କାହିଁକି ଏମିତି କଲେ ପ୍ରଧାନମନ୍ତ୍ରୀ? ଜବାବ ମାଗିଲା ଝିଅ ।

ନେପାଳର ଏକ ୧୧ ବର୍ଷୀୟା ଝିଅ ଏବେ ନୂଆ ଯୁବ ପ୍ରଧାନମନ୍ତ୍ରୀ ବାଲେନ୍ ଶାହାଙ୍କୁ କିଛି ଏପରି ଭାବପ୍ରବଣତାର ସହିତ ଚିଠି ଲେଖିଛି । ଯାହା ଏବେ ଇଣ୍ଟରନେଟର ହୃଦୟ ଜିଣିଛି । ତାର ସେ ଅବୋଧ ମନରେ ଉଙ୍କି ମାରୁଥିବା ଅନେକ ପ୍ରଶ୍ନର ଉତ୍ତର, ତାର କୁନି ହାତରେ ଲେଖିଥିବା ଚିଠି ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ବାଲେନ୍ ଶାହଙ୍କୁ ମାଗିଛି ।

ନେପାଳର ରାଜଧାନୀ କାଠମାଣ୍ଡୁରେ ବେଆଇନ ବସତି ବିରୋଧରେ ଚାଲିଥିବା ବୁଲଡୋଜର ଅଭିଯାନ ମଧ୍ୟରେ, ଏହି ୧୧ ବର୍ଷୀୟା ଝିଅର ଭାବପ୍ରବଣ ଚିଠି ହଜାର ହଜାର ବାସହୀନ ପରିବାରର ଦୁର୍ଦ୍ଦଶାକୁ ପ୍ରକାଶ କରିଛି। ଝିଅଟି ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କୁ ଲେଖି ପଚାରିଛି ଯେ ନିର୍ବାଚନରେ ​​ତାଙ୍କ ପରିବାର ବାଲେନ୍ ଶାହଙ୍କୁ ହିଁ ଭୋଟ ଦେଇ ଜିତାଇଥିଲେ, ତଥାପି କାହିଁକି ତାଙ୍କ ପରିବାରର ଘର ଭାଙ୍ଗି ଦିଆଗଲା। କିଛି ଏପରି ପ୍ରଶ୍ନ କରି ତୃତୀୟ ଶ୍ରେଣୀର ଛାତ୍ରୀ ରାଧିକା ମାହାତୋ ତାଙ୍କ ଚିଠିରେ ଲେଖିଛନ୍ତି, “ତେବେ ତୁମେ ଆମର ଘର କାହିଁକି ଭାଙ୍ଗିଲ? ଏବେ ଆମେ କେଉଁଠି ରହିବୁ ଏବଂ ଏବେ ଆମେ କିପରି ପଢ଼ିବୁ? ଆମ ପାଖେ ଘର ଭଡା ନେଇ ରହିବାକୁ ଟଙ୍କା ନାହିଁ। ତୁମେ ଆମର ଅବସ୍ଥାକୁ ଆହୁରି ଖରାପ କରିଛ ବୋଲି କହି ନିଷ୍ପାପ ମନଟିଏ ପ୍ରଧାନମନ୍ତ୍ରୀଙ୍କୁ ଦୋଷୀ କରିଛି । ଯାହା ଏବେ ଇଣ୍ଟନେଟରେ ଭାଇରାଲ ହେଉଥିବା ବେଳେ ଏବେ ସବୁଠି କୁନି ଝିଅ ରାଧିକାଙ୍କ ସାହସ ଏବଂ ସଦିଚ୍ଛାର ଚର୍ଚ୍ଚା ।

ତେବେ କହିରଖୁଛୁ, ପ୍ରାୟ ତିନି ସପ୍ତାହ ପୂର୍ବେ, ରାଧିକା କାଠମାଣ୍ଡୁର ଥାପାଥାଲି ଅଞ୍ଚଳର ଏକ ବସ୍ତି ନିକଟରେ ଅବସ୍ଥିତ ଗୁହେଶ୍ୱରୀ ବାଲ ଶିକ୍ଷା ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ୁଥିଲା। ତାଙ୍କ ପରିବାର ସେଠାରେ ଏକ ଅସ୍ଥାୟୀ କୁଡ଼ିଆରେ ରହୁଥିଲେ। କିନ୍ତୁ, ପ୍ରଶାସନ ସେହି ଅଞ୍ଚଳର ଶହ ଶହ ବସ୍ତିକୁ ବୁଲଡୋଜର ଚଳାଇ ଭାଙ୍ଗି ଦେଇଥିଲା। ପରବର୍ତ୍ତୀ ସମୟରେ, ବିସ୍ଥାପିତ ପରିବାରଗୁଡ଼ିକୁ କାଠମାଣ୍ଡୁରୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ବାନେପା ପୌରପାଳିକାର ଏକ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତରିତ କରାଯାଇଥିଲା। ଯାହା ପରେ କେବଳ ଯେ କୁନି ଝିଅର ସତ କୁଡିଆ ଭାଙ୍ଗି ନଥିଲା, ତା ସ୍ବପ୍ନ ମଧ୍ୟ ଭାଙ୍ଗିଯାଇଛି । କାରଣ କୁଡିଆ ଧ୍ୱଂସ ହେବା ସହିତ, ରାଧିକାଙ୍କ ପାଠପଢ଼ା ମଧ୍ୟ ବନ୍ଦ ହୋଇଯାଇଛି। ଯାହା ପରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରି ରାଧିକା ଚିଠି ଲେଖିଛନ୍ତି । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କ ଆଗରେ ଦାବି ରଖିଛନ୍ତି,ଯେ, “ଆମକୁ ପାଠପଢ଼ା ପାଇଁ ଏକ ସ୍କୁଲ ଆବଶ୍ୟକ। ରହିବା ପାଇଁ ଏକ ସ୍ଥାନ ଏବଂ ଆମର ପାଠପଢ଼ା ଜାରି ରଖିବା ପାଇଁ ଏକ ସ୍କୁଲ ବ୍ୟବସ୍ଥା କରନ୍ତୁ।”

ଗତ ଦୁଇ ସପ୍ତାହ ମଧ୍ୟରେ, ସରକାର କାଠମାଣ୍ଡୁରେ ୧୫,୦୦୦ ରୁ ଅଧିକ ଭୂମିହୀନ ଲୋକଙ୍କୁ ବିତାଡ଼ିତ କରିଛନ୍ତି। ଏହି ସମୟ ମଧ୍ୟରେ, ପ୍ରାୟ ୪୦୦୦ ଅସ୍ଥାୟୀ ଘର ଏବଂ ନିର୍ମାଣ ଭାଙ୍ଗି ଦିଆଯାଇଥିଲା। ସରକାର ଦାବି କରୁଛନ୍ତି ଯେ ଏହି ବସତିଗୁଡ଼ିକ ସରକାରୀ ଜମି ଏବଂ ନଦୀ କୂଳରେ ବେଆଇନ ଭାବରେ ନିର୍ମିତ ହୋଇଥିଲା। ତଥାପି, ଏହି କାର୍ଯ୍ୟାନୁଷ୍ଠାନ ପରେ ସରକାରଙ୍କୁ ବ୍ୟାପକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି।

Leave A Reply

Your email address will not be published.