କୋଲକାତା: ପଶ୍ଚିମବଙ୍ଗର ଜଣେ ବରିଷ୍ଠ ପୂର୍ବତନ ପୋଲିସ ଅଧିକାରୀଙ୍କୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି। କୋଲକାତା ପୋଲିସର ପୂର୍ବତନ ଡେପୁଟି କମିଶନର ଶାନ୍ତନୁ ସିହ୍ନା ବିଶ୍ୱାସଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ପୂର୍ବରୁ ‘ଲୁକଆଉଟ୍ ନୋଟିସ୍’ ଜାରି କରାଯାଇଥିଲା, ଯାହା ପରେ ପୋଲିସ ତାଙ୍କୁ କାବୁ କରିବାରେ ସଫଳ ହୋଇଛି।
ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି। ବିଶେଷ କରି ଜଣେ ମହିଳାଙ୍କ ସହ ଜଡ଼ିତ ଏକ ମାମଲା ଏବଂ କିଛି ଆର୍ଥିକ ଅନିୟମିତତାକୁ ନେଇ ତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ଘଟଣାର ତଦନ୍ତ ଆରମ୍ଭ ହେବା ପରଠାରୁ ସେ ଫେରାର ଥିଲେ, ଯେଉଁଥିପାଇଁ ତଦନ୍ତକାରୀ ସଂସ୍ଥା ପକ୍ଷରୁ ତାଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା।
ବିଦେଶକୁ ଖସି ପଳାଇବାର ଆଶଙ୍କା ଥିବାରୁ ଏହି ନୋଟିସ୍ ଜାରି ହୋଇଥିଲା। ସ୍ଥାନୀୟ ପୋଲିସ ଓ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ତାଙ୍କୁ ଧରିବାରେ ସଫଳ ହୋଇଛନ୍ତି।
ଗିରଫ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବା ସହ ଅଧିକ ପଚରାଉଚରା ପାଇଁ ପୋଲିସ ରିମାଣ୍ଡରେ ନେବ ।
ଜଣେ ପୂର୍ବତନ ଉଚ୍ଚପଦସ୍ଥ ଅଧିକାରୀ ଏଭଳି ଭାବେ ଗିରଫ ହେବା ଘଟଣା ପୋଲିସ ବିଭାଗ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଅଭିଯୋଗ ହୋଇଛି ଯେ, ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସେ ଦୀର୍ଘ ଦିନ ଧରି ଗିରଫଦାରୀରୁ ବର୍ତ୍ତିବାକୁ ଚେଷ୍ଟା କରୁଥିଲେ।
ଶାନ୍ତନୁଙ୍କ ଗିରଫଦାରୀ ପରେ ଏହି ମାମଲାରେ ସଂଶ୍ଳିଷ୍ଟ ଥିବା ଅନ୍ୟ କିଛି ବ୍ୟକ୍ତିଙ୍କ ବିଷୟରେ ମଧ୍ୟ ତଥ୍ୟ ମିଳିପାରେ ବୋଲି ପୋଲିସ ଆଶା ରଖିଛି। ବର୍ତ୍ତମାନ ତାଙ୍କର ସମ୍ପୃକ୍ତି ଥିବା ବିଭିନ୍ନ ଦଲିଲ ଓ ପ୍ରମାଣର ଯାଞ୍ଚ କରାଯାଉଛି।