ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ମାମଲା ପରି ଏକ ଭୟଙ୍କର ଘଟଣା ପୁଣି ଥରେ ରାଜଧାନୀ ଦିଲ୍ଲୀରେ ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ରାଣୀ ବାଗ ଅଞ୍ଚଳରେ କାମରୁ ଘରକୁ ଫେରୁଥିବା ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଟେକି ନେଇ ଏକ ଚଳନ୍ତା ସ୍ଲିପର ବସ୍ରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ପୋଲିସ ଏହି ଘଟଣାରେ ବିହାରର ପଞ୍ଜିକରଣ ନମ୍ବର ଥିବା ବସ୍ଟିକୁ ଜବତ କରିଛି ଏବଂ ପୀଡିତାଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ କରି ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଘଟଣାଟି ଦୁଇ ଦିନ ପୂର୍ବରୁ ଘଟିଛି। ମଙ୍ଗୋଲପୁରୀର ଏକ କାରଖାନାରେ କାମ କରୁଥିବା ପୀଡିତା ସୋମବାର ରାତିରେ ଚାଲିଚାଲି ଘରକୁ ଫେରୁଥିବା ସମୟରେ ସେ ସରସ୍ୱତୀ ବିହାର ବସ୍ ଷ୍ଟାଣ୍ଡ ନିକଟରେ ଅଟକିଥିବା ଏକ ସ୍ଲିପର ବସ୍ର କର୍ମଚାରୀଙ୍କୁ କେତେ ସମୟ ହୋଇଛି ବୋଲି ପଚାରିଥିଲେ। ତାଙ୍କୁ ସମୟ କହିବା ବାହାନାରେ ଅଭିଯୁକ୍ତମାନେ ତାଙ୍କୁ ଜୋରଜବରଦସ୍ତ ଚଳନ୍ତା ବସ୍ ଭିତରକୁ ଟାଣି ନେଇ ଗେଟ୍ ବନ୍ଦ କରି ଦେଇଥିଲେ। ଦୁଇ ଜଣ ଯୁବକ ନାଙ୍ଗଲୋଇ ମେଟ୍ରୋ ଷ୍ଟେସନ୍ ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ଦୂରତା ମଧ୍ୟରେ ତାଙ୍କୁ ଦୁଇ ଘଣ୍ଟା ଧରି ଦୁଷ୍କର୍ମ କରିଥିଲେ। ଯାହା ପରେ ତାଙ୍କୁ ରାସ୍ତାରେ ଫୋପାଡ଼ି ଦେଇ ଚାଲିଯାଇଥିଲେ।
ତେବେ ରାଣୀ ବାଗ ପୋଲିସ ଏକ ଫୋରେନସିକ୍ ଟିମ୍ ସହାୟତାରେ ବସ୍ରୁ ପ୍ରମାଣ ସଂଗ୍ରହ କରିଛି। ପୋଲିସ ବସ୍ ମାଲିକଙ୍କ ସହ ଯୋଗାଯୋଗ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ପରେ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଥିଲା।
Comments are closed.