ଭୁବନେଶ୍ୱର: ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି ଦେଶ। ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ନିରାଡମ୍ବର ଭାବେ ପାଳିବାକୁ ନିଷ୍ପତ୍ତି ନିଆଯାଇଛି। ହଠାତ୍ ୫ ମନ୍ତ୍ରୀଙ୍କୁ ଡାକି ବିଜେପି ସରକାରଙ୍କ ୨ ବର୍ଷର ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମନ୍ତ୍ରୀମାନଙ୍କୁ ରିପୋର୍ଟ କାର୍ଡ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉତ୍ସବ ପାଳନ ନୁହେଁ ଉପଲବ୍ଧି କଣ ହାସଲ କରିଛ ତାହାର ହିସାବ ରାଜ୍ୟବାସୀଙ୍କ ସାମ୍ନାରେ ରଖିବାକୁ ଦେଇଛନ୍ତି ନିର୍ଦ୍ଦେଶ।
୧୦ ଦିନ ଧରି ପାଳନ ହେବାକୁ ଥିବା ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବା ନେଇ ସଂକେତ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ। ଜୁନ୍ ୧୨ ତାରିଖରେ ମୋହନ ସରକାରକୁ ପୁରିବ ୨ ବର୍ଷ। ଏହି ଅବଧିରେ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବାକୁ ପାଳନ ହେବ ଏହି ଉତ୍ସବ। ସୂଚନା ଅନୁସାରେ ଆସନ୍ତା ଜୁନ୍ ୧୨ରୁ ୨୧ ଯାଏଁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ପାଳନ ହେବ ପୂର୍ତ୍ତି ଉତ୍ସବ। ବିଭିନ୍ନ ବିଭାଗର ସଫଳତା ସହ ଶକ୍ତି ଓଡ଼ିଶା, ସମୃଦ୍ଧ କୃଷି ଓଡ଼ିଶା, ସୁସ୍ଥ ଓଡ଼ିଶା, ନିର୍ମାଣ ଓଡ଼ିଶା, ଉତ୍କର୍ଷ ଓଡ଼ିଶା, ଜନଶକ୍ତି ଓଡ଼ିଶା ଏବଂ କୌଶଳ ଓଡ଼ିଶା ଥିମ୍ରେ କାର୍ଯ୍ୟକ୍ରମ ହେବ।
ଏଥିସହିତ ୨୦୨୬ରୁ ୨୦୩୬ ପର୍ଯ୍ୟନ୍ତ ସରକାରଙ୍କ ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ରହିବ । ଏହାସହ ମନ୍ତ୍ରୀ ମାନଙ୍କୁ ରିପୋର୍ଟ କାର୍ଡ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ୨ ବର୍ଷରେ ନିଜ ନିଜ ବିଭାଗର ସଫଳତା ରାଜ୍ୟବାସୀଙ୍କ ସାମ୍ନାରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।