ଅନୁଗୁଳ: ହାତୀ ଆକ୍ରମଣରେ ଗଲା ଜୀବନ। ଅନୁଗୁଳରେ ବଢ଼ିଗଲାଣି ହାତୀ ଉପଦ୍ରବ। ଦୁଇ ଦିନରେ ହାତୀ ନେଲା ଦୁଇ ଜୀବନ। ଗତକାଲି କୁସୁମପାଟ ଗାଁର ପ୍ରମିଳା ସାହୁଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ଅନୁଗୁଳ ଜିଲ୍ଲାର ତଳମୂଳ ଗାଁରେ ଆଜି ପୁଣି ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଯାଇଛି। ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ହାତୀ ଘର ଭାଙ୍ଗିବା ସହ ଆରତ ଭୋଇ ନାମକ ଜଣେ ବୃଦ୍ଧଙ୍କ ଜୀବନ ନେଇଛି।
ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ତଳମୂଳ ଗାଁର ଆରତ ଭୋଇ ଓ ତାଙ୍କ ପରିବାର ରାତିରେ ଶୋଇଥିବା ବେଳେ ହଠାତ ଏକ ହାତୀ ତାଙ୍କ ଘର ଭାଙ୍ଗିବା ସହ ଆରତ ଭୋଇଙ୍କୁ ଆକ୍ରମଣ କରିଥିଲା । ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଜିଲ୍ଲାରେ ହାତୀ ଓ ମଣିଷ ବିବାଦ ଥମିବାରେ ନାଁ ନେଉନି। ଗତକାଲି ମଧ୍ଯ ହାତୀ ଆକ୍ରମଣରେ କୁସୁମପାଟ ଗାଁର ପ୍ରମିଳା ସାହୁ ନାମକ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ତେବେ ତୁମୁଣି ଗାଁରେ ମଧ୍ୟ ଆଜି ସକାଳେ ହାତୀ ଆକ୍ରମଣ କରିବା ଫଳରେ ବନ୍ଧୁ ବେହେରା ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି ।
ଏହି ଘଟଣା ପରେ ଗ୍ରାମରେ ଭୟ ଓ ଶୋକର ପରିବେଶ ଖେଳିଯାଇଛି। ବାରମ୍ବାର ଏହି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବନ ବିଭାଗ ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ସହ ହାତୀ ଘଉଡ଼ାଇବା ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।