କଟକ: ତେଲ ସଙ୍କଟ ଦେଇ ଗତି କରୁଛି ସାରା ଦେଶ। ଗତ ରାତିଠାରୁ ପ୍ରାୟ ସମସ୍ତ ଟାଙ୍କିରେ ଲାଗିଛି ଲମ୍ଵା ଲାଇନ୍। ସନ୍ତୁଳି ହେଲେଣି ଲୋକେ। ଭୁବନେଶ୍ୱରର ଅଧା ପେଟ୍ରୋଲ ପମ୍ପରେ ପଡିଛି ତାଲା। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଅଭାବ ଉତ୍କଟ ରୂପ ନେଇଛି। ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିବା ସହ ଗାଡ଼ିରେ ତେଲ ପକାଇବା ପାଇଁ ଟାଙ୍କିକୁ ଟାଙ୍କି ଘୂରି ବୁଲିଛନ୍ତି। ସ୍ଥିତି ଏଭଳି ହୋଇଛି ଯେ ରାଜଧାନୀରେ ପେଟ୍ରୋଲ ପମ୍ପରେ ଭିଡ଼ ନିୟନ୍ତ୍ରଣ ପାଇଁ ଆଜି ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ତେଲ ଅଭାବ ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ ଆସିଛି।
ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି। କଟକରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ଅଧା ବାଟରେ ଆମ୍ବୁଲାନ୍ସରୁ ସରିଗଲା ତେଲ। କାଠଯୋଡ଼ି ନଦୀ ବ୍ରିଜ ଉପରେ ହଠାତ୍ ପେଟ୍ରୋଲ ଶେଷ ହୋଇଯାଇଥିଲା। କିଛି ସମୟ ପରେ ରୋଗୀର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ କେନ୍ଦ୍ରାପଡ଼ାର ଯୁବକ ବିଷ ପିଇ ଗୁରୁତର ହେବାରୁ କଟକ ଅଣାଯାଇଥିଲା। କଟକ ଏସ୍ସିବିରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ଅଘଟଣ ଘଟିଥିବା ସୂଚନା ରହିଛି।
ଅନ୍ୟପଟେ ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ ବୋଲି ଶୁକ୍ରବାର କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ୍ ଅଛି। ଆତଙ୍କିତ ହୋଇ ତେଲ ନ କିଣିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ। ଟାଙ୍କିରେ ବହୁତ ଭିଡ଼ ବଢ଼ିଯିବାରୁ ମାଲିକ ଅଳ୍ପ ଅଳ୍ପ ତେଲ ଦେଉଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ କିଛି ନିୟମ କରାଯାଇ ନାହିଁ। ୧୩ ଦିନ ପାଇଁ ଓଡ଼ିଶାରେ ତେଲ ଷ୍ଟକ୍ ଅଛି ବୋଲି ମନ୍ତ୍ରୀ କହିଛନ୍ତି। ହେଲେ ଏଠାରେ ସାଧାରଣଙ୍କର ପ୍ରଶ୍ନ ଉଠୁଛି ଯଦି ରାଜ୍ୟରେ ତେଲ ଅଭାବ ନାହିଁ ତେବେ କିପରି ଅଧାରୁ ଅଧିକ ପେଟ୍ରୋଲ ପମ୍ପରେ ତାଲା ଝୁଲୁଛି। ଆଉ ଏଠାରେ କାହିଁକି ଆମ୍ବୁଲନ୍ସକୁ ମଧ୍ୟ ତେଲ ଭରିବାରେ ସୁଯୋଗ ମିଲିଲା ନାହିଁ।