ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ ଅଳ୍ପ ସମୟ ପାଇଁ ଥିଲା। କିନ୍ତୁ ତାହାର ଫଳ ଭାରତ ପାଇଁ ବଡ଼ ମନାଯାଉଛି। ଆବୁଧାବିରେ ମୋଦିଙ୍କ ପ୍ରାୟ ୨.୫ ଘଣ୍ଟିଆ ଗସ୍ତ ମଧ୍ୟରେ ଭାରତ ଓ ୟୁଏଇ ମଧ୍ୟରେ ପ୍ରତିରକ୍ଷା, ଏନର୍ଜି, ମେରିଟାଇମ୍ ଇନ୍ଫ୍ରାସ୍ଟ୍ରକ୍ଚର ଓ ନିବେଶ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ବଦଳୁଥିବା ବିଶ୍ୱ ରାଜନୀତି ଏବଂ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ମୋଦୀଙ୍କ ଏହି ଗସ୍ତ କେବଳ କୂଟନୈତିକ ସ୍ତରରେ ସୀମିତ ରହିନାହିଁ, ବରଂ ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ଏକ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଶକ୍ତି ସୁରକ୍ଷା ଏବଂ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ଏକାଧିକ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିସହିତ ଭାରତରେ ପ୍ରାୟ ୫ ବିଲିୟନ ଆମେରିକୀୟ ଡଲାର (ପାଖାପାଖି ୪୧ ହଜାର କୋଟି ଟଙ୍କା) ନିବେଶ କରିବାକୁ ୟୁଏଇ ଔପଚାରିକ ଭାବେ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ଉଚ୍ଚସ୍ତରୀୟ ବୈଠକ ପରେ ଏହି ବଡ଼ ନିବେଶ ନେଇ ନିଷ୍ପତ୍ତି ନିଆଯାଇଛି।
ପଶ୍ଚିମ ଏସିଆରେ ଚାଲିଥିବା ଭୂ-ରାଜନୈତିକ ଅସ୍ଥିରତା ଓ ଆନ୍ତର୍ଜାତୀୟ ତେଲ ବଜାରର ଅନିଶ୍ଚିତତା ମଧ୍ୟରେ ଏହି ଗସ୍ତକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। Strait of Hormuz ଭଳି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥରେ ବିଘ୍ନ ସୃଷ୍ଟି ହେବାର ଆଶଙ୍କା ମଧ୍ୟରେ ଭାରତ ନିଜ ଏନର୍ଜି ସୁରକ୍ଷାକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରୁଛି। ୟୁଏଇ ସହ ହୋଇଥିବା ଏହି ବୁଝାମଣା ସେହି ରଣନୀତିର ଏକ ଅଂଶ ବୋଲି ଦେଖାଯାଉଛି।
ଏହି ଗସ୍ତର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତିରକ୍ଷା ସହଯୋଗ। ଭାରତ ଓ ୟୁଏଇ ମଧ୍ୟରେ Strategic Defence Partnership ପାଇଁ ଏକ ଫ୍ରେମୱାର୍କ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହା କେବଳ ସାଧାରଣ ସେନା ଅଭ୍ୟାସରେ ସୀମିତ ରହିବ ନାହିଁ। ଆଗକୁ ଦୁଇ ଦେଶ ଉନ୍ନତ ପ୍ରତିରକ୍ଷା ପ୍ରଯୁକ୍ତିର ଯୁଗ୍ମ ବିକାଶ, ଯୁଗ୍ମ ଉତ୍ପାଦନ, ଗୁପ୍ତଚର ତଥ୍ୟ ବିନିମୟ ଓ ଆତଙ୍କବାଦ ବିରୋଧୀ ସହଯୋଗକୁ ଆହୁରି ମଜବୁତ କରିବେ।
ଏନର୍ଜି କ୍ଷେତ୍ରରେ ମଧ୍ୟ ବଡ଼ ପଦକ୍ଷେପ ନିଆଯାଇଛି। Strategic Petroleum Reserves ନେଇ ଭାରତ ଓ ୟୁଏଇ ମଧ୍ୟରେ ଏମଓୟୁ ହୋଇଛି। ଅର୍ଥାତ୍, ଆନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ ଦର ବୃଦ୍ଧି କିମ୍ବା ଯୋଗାଣରେ ବାଧା ଆସିଲେ ଭାରତ ପାଇଁ ଏହା ଏକ ବଡ଼ ସୁରକ୍ଷା କବଚ ହୋଇପାରେ। ୟୁଏଇର ADNOC ପୂର୍ବରୁ ଭାରତର ଭୂଗର୍ଭ ତେଲ ଭଣ୍ଡାରରେ ତେଲ ସଞ୍ଚୟ କରୁଥିବା ଏକମାତ୍ର ବିଦେଶୀ ସଂସ୍ଥା ଭାବେ ଯୋଡ଼ିତ ଅଛି। ନୂଆ ଚୁକ୍ତି ଏହି ସହଯୋଗକୁ ଆହୁରି ମଜବୁତ କରିବ।
କେବଳ କ୍ରୁଡ୍ ଅଏଲ ନୁହେଁ, ଏଲପିଜି ଯୋଗାଣ ନେଇ ମଧ୍ୟ ଭାରତ ଓ ୟଏଇ ମଧ୍ୟରେ ଚୁକ୍ତି ହୋଇଛି। Indian Oil Corporation Limited ଓ ADNOC ମଧ୍ୟରେ ହୋଇଥିବା ଏହି ବୁଝାମଣା ଦ୍ୱାରା ଭାରତକୁ ଦୀର୍ଘମିଆଦି ଓ ପ୍ରାଥମିକତା ଆଧାରରେ ଏଲପିଜି ଯୋଗାଣ ମିଳିବ। ଏହା ଘରୋଇ ଗ୍ରାହକଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାରଣ, ବିଶ୍ୱ ବଜାରରେ ଦର ବଢ଼ିଲେ ତାହାର ସିଧା ପ୍ରଭାବ ଘରୋଇ ଏଲପିଜି ଉପରେ ପଡ଼ିଥାଏ।
ମେରିଟାଇମ୍ କ୍ଷେତ୍ରରେ ମଧ୍ୟ ଏକ ବଡ଼ ଘୋଷଣା ହୋଇଛି। ଗୁଜରାଟର ବାଦିନାରରେ Ship Repair Cluster ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷର ହୋଇଛି। ଏହି ପ୍ରକଳ୍ପ ଭାରତର ସମୁଦ୍ର ଭିତ୍ତିଭୂମିକୁ ମଜବୁତ କରିବ। ଆଗାମୀ ଦିନରେ ଜାହାଜ ମରାମତି ଓ ରକ୍ଷାବେକ୍ଷଣ କ୍ଷେତ୍ରରେ ଭାରତକୁ ଏକ ଆଞ୍ଚଳିକ କେନ୍ଦ୍ର ଭାବେ ଗଢ଼ିତୋଳିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।
ଏହି ଗସ୍ତରେ ନିବେଶ କ୍ଷେତ୍ରରେ ମଧ୍ୟ ଭାରତ ପାଇଁ ବଡ଼ ଘୋଷଣା ହୋଇଛି। ୟୁଏଇ ପକ୍ଷରୁ ଭାରତରେ ୫ ବିଲିୟନ ଡଲାର ନିବେଶର ଘୋଷଣା କରାଯାଇଛି। ଏହି ଟଙ୍କା ଭାରତର ଇନ୍ଫ୍ରାସ୍ଟ୍ରକ୍ଚର ପ୍ରକଳ୍ପ, ଆରବିଏଲ ବ୍ୟାଙ୍କର କ୍ରେଡିଟ୍ କ୍ଷମତା ବୃଦ୍ଧି ଓ Sammaan Capitalକୁ ଲିକ୍ୱିଡିଟି ସହାୟତା ପାଇଁ ବ୍ୟବହାର ହେବ।
ବିଶେଷଜ୍ଞଙ୍କ ମତରେ, ମୋଦିଙ୍କ ଏହି ୟୁଏଇ ଗସ୍ତ କେବଳ ଦ୍ୱିପାକ୍ଷିକ ସମ୍ପର୍କର ଔପଚାରିକତା ନୁହେଁ। ଏହା ଏକ ରଣନୀତିକ ସନ୍ଦେଶ। ଭାରତ ଏବେ ୟୁଏଇ ସହ ସମ୍ପର୍କକୁ ପାରମ୍ପରିକ ବ୍ୟବସାୟ ଓ ତେଲ ସହଯୋଗରୁ ଆଗକୁ ନେଇଯାଉଛି। ପ୍ରତିରକ୍ଷା, ଲଜିଷ୍ଟିକ୍ସ, ଇନ୍ଫ୍ରାସ୍ଟ୍ରକ୍ଚର, ଫାଇନାନ୍ସ ଓ ଏନର୍ଜି ସୁରକ୍ଷା, ସବୁ କ୍ଷେତ୍ରରେ ଦୁଇ ଦେଶ ନୂଆ ସମୀକରଣ ତିଆରି କରୁଛନ୍ତି।
ଭାରତ ଓ ୟୁଏଇ ମଧ୍ୟରେ ଆର୍ଥିକ ସମ୍ପର୍କ ଗତ କିଛି ବର୍ଷରେ ବହୁତ ବଢିଛି। Comprehensive Economic Partnership Agreement ପରେ ଦୁଇ ଦେଶର ବ୍ୟବସାୟ ୧୦୦ ବିଲିୟନ ଡଲାର ଅତିକ୍ରମ କରିଛି। ଆଗକୁ ଏହାକୁ ୨୦୦ ବିଲିୟନ ଡଲାର ପର୍ଯ୍ୟନ୍ତ ନେବାର ଲକ୍ଷ୍ୟ ରହିଛି। ସେହି ଦୃଷ୍ଟିରୁ ମୋଦିଙ୍କ ଏହି ଗସ୍ତକୁ ଭାରତ-ୟୁଏଇ ସମ୍ପର୍କରେ ଆଉ ଏକ ନୂଆ ଅଧ୍ୟାୟ ବୋଲି କୁହାଯାଇପାରେ।