Latest Odisha News

BREAKING NEWS

“ଯିଏ ଯିବାକୁ ଚାହୁଁଛି ଯାଉ, ମୁଁ ନିଜେ କାନ୍ଥ ରଙ୍ଗ କରି ଦଳକୁ ପୁଣି ଗଢ଼ିବି”: ନିର୍ବାଚନ ପରାଜୟ ପରେ ଗର୍ଜିଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶକ୍ତ ଧକ୍କା ଖାଇବା ପରେ ଏବେ ଦଳକୁ ସଜାଡ଼ିବାକୁ ମଇଦାନକୁ ଓହ୍ଲାଇଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ନିର୍ବାଚନରେ ଦଳର ଭାରି ପରାଜୟ ପରେ କାଳୀଘାଟ ସ୍ଥିତ ନିଜ ବାସଭବନରେ ମମତା ବାନାର୍ଜୀ ଦଳୀୟ ପ୍ରାର୍ଥୀ ଓ ନେତାମାନଙ୍କୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛନ୍ତି। ଏହି ଅବସରରେ ସେ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ସହ ଦଳ ଛାଡ଼ିବାକୁ ଚାହୁଁଥିବା ଅସନ୍ତୁଷ୍ଟ ନେତା ଓ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।

 

ବୈଠକରେ ମମତା ବାନାର୍ଜୀ ସ୍ପଷ୍ଟ ଭାବେ କହିଛନ୍ତି, “ଯେଉଁମାନେ ଅନ୍ୟ ଦଳକୁ ଯିବାକୁ ଚାହୁଁଛନ୍ତି, ସେମାନେ ଆରାମରେ ଯାଇପାରନ୍ତି। ସେମାନଙ୍କର କିଛି ବାଧ୍ୟବାଧକତା ଥାଇପାରେ। ମୁଁ କାହାକୁ ଜୋର କରି ଅଟକାଇବାରେ ବିଶ୍ୱାସ କରେନାହିଁ। ମୁଁ ପୁଣିଥରେ ନୂଆ କରି ଦଳ ଗଢ଼ିବି।”

 

ନିର୍ବାଚନ ଫଳାଫଳ ପରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଟିଏମସି କାର୍ଯ୍ୟାଳୟ ଗୁଡ଼ିକରେ ହୋଇଥିବା ବ୍ୟାପକ ଭଙ୍ଗାରୁଜା ଓ ହିଂସାକୁ ନେଇ ସେ ବିଜେପି ଉପରେ ବର୍ଷିଛନ୍ତି। ଦଳରେ ରହିଥିବା ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇ ସେ କହିଛନ୍ତି, “ଦଳରେ ରହିଥିବା ସମସ୍ତ ସଦସ୍ୟଙ୍କୁ ମୁଁ କହିବାକୁ ଚାହେଁ, ବିରୋଧୀ ଭାଙ୍ଗି ଦେଇଥିବା ଆମ ପାର୍ଟି ଅଫିସ୍ ଗୁଡ଼ିକୁ ପୁଣି ଖୋଲନ୍ତୁ, ସେଗୁଡ଼ିକୁ ସଜାଡ଼ନ୍ତୁ ଏବଂ ନୂଆ ରଙ୍ଗ ଦିଅନ୍ତୁ। ଯଦି ଆବଶ୍ୟକ ପଡ଼େ, ମୁଁ ନିଜେ ଯାଇ ସେହି କାର୍ଯ୍ୟାଳୟ ଗୁଡ଼ିକୁ ରଙ୍ଗ କରିବି। ତୃଣମୂଳ କଂଗ୍ରେସ କେବେହେଲେ ମୁଣ୍ଡ ନୁଆଁଇବ ନାହିଁ। ଜନସାଧାରଣଙ୍କ ଜନାଦେଶକୁ ଲୁଟ୍ କରାଯାଇଛି।”

 

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ୨୯୪ଟି ବିଧାନସଭା ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (BJP) ୨୦୭ଟି ଆସନ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବେଳେ ଟିଏମସି ମାତ୍ର ୮୦ଟି ଆସନରେ ସୀମିତ ରହିଛି। ସବୁଠାରୁ ବଡ଼ କଥା ହେଉଛି, ମମତା ବାନାର୍ଜୀ ନିଜେ ତାଙ୍କ ଭବାନୀପୁର ଆସନରୁ ପୂର୍ବତନ ସହଯୋଗୀ ତଥା ବର୍ତ୍ତମାନର ବିଜେପି ନେତା ସୁଭେନ୍ଦୁ ଅଧିକାରୀଙ୍କଠାରୁ ପରାଜିତ ହୋଇଛନ୍ତି।

 

ଏହି ସଙ୍କଟ ସମୟରେ ମମତା ବାନାର୍ଜୀ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଦଳୀୟ ନେତାମାନଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ଦଳକୁ ତୃଣମୂଳ ସ୍ତରରୁ କିଭଳି ଶକ୍ତିଶାଳୀ କରାଯାଇପାରିବ, ସେନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି। ଟିଏମସି ଏବେ ବି ଏହାକୁ ‘ଜନାଦେଶର ଚୋରି’ ବୋଲି କହି ବିରୋଧ ଜାରି ରଖିଛି।

Leave A Reply

Your email address will not be published.