ନୂଆଦିଲ୍ଲୀ: କେରଳମରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ଦୁଇ ସପ୍ତାହ ପରେ ୟୁଡିଏଫର ସରକାର ହେବାକୁ ଯାଉଛି। ପ୍ରାୟ ଏକ ଦଶନ୍ଧି ପରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) କ୍ଷମତାକୁ ଫେରିଛି। ଆଉ ଏହି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ନେତା ଭି.ଡି. ସତିଶନ୍। ସେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସରକାରରେ ୨୧ ଜଣ ମନ୍ତ୍ରୀ ରହିବେ । ସତୀଶନ୍ ରବିବାର ଲୋକଭବନରେ ପହଞ୍ଚି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାଙ୍କ କ୍ୟାବିନେଟ ତାଲିକା ପ୍ରଦାନ କରିଛନ୍ତି। ସେଣ୍ଟ୍ରାଲ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଶପଥ ଗ୍ରହଣ ଉତ୍ସବ। ସେଣ୍ଟ୍ରାଲ୍ ଷ୍ଟାଡିୟମରେ ଜୋରସୋର ପ୍ରସ୍ତୁତି ଚାଲିଛି।
ଷ୍ଟାଡିୟମରେ ଶପଥ ଗ୍ରହଣ ସମାରୋହ ସମୟରେ ହଜାର ହଜାର ଦଳୀୟ କର୍ମୀ, ଜାତୀୟ ରାଜନୈତିକ ବ୍ୟକ୍ତିବିଶେଷ ଏବଂ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଉଛି। ବର୍ଷା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି। ସୋମବାର ସକାଳେ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପୂର୍ବରୁ ସମଗ୍ର ତିରୁବନନ୍ତପୁରମରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭିଡି ସତୀଶନଙ୍କ ସରକାରରେ ରମେଶ ଚେନ୍ନିଥଲା ବି କ୍ୟାବିନେଟ ମନ୍ତ୍ରୀ ହେବେ।
ଚେନ୍ନିଥଲା ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଥିଲେ। ମାତ୍ର ହାଇକମାଣ୍ଡ ସତୀଶନ୍ଙ୍କୁ ବାଛିଥିଲେ। ମେ ୧୪ ତାରିଖରେ କଂଗ୍ରେସ ସତୀଶନଙ୍କୁ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରିଥିଲା। କେରଳମ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ୧୪୦ଟି ଆସନରୁ ୧୦୨ଟି ଆସନ ଜିତିଥିଲା। ମାତ୍ର ୧୦ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇପାରିଲା ନାହିଁ। ସତୀଶନଙ୍କ ବ୍ୟତୀତ କେ.ସି. ବେଣୁଗୋପାଳ ଏବଂ ଚେନ୍ନିଥଲା ମଧ୍ୟ ଏହି ପଦ ପାଇଁ ରେସରେ ଥିଲେ। କେରଳମ ନୂତନ ସରକାରରେ କାହାକୁ ମନ୍ତ୍ରୀ ନିଯୁକ୍ତ କରାଯିବ ସେ ବିଷୟରେ ଆଲୋଚନା ତିନି ଦିନ ଧରି ଚାଲିଥିଲା ବୋଲି ଜଣାପଡ଼ିଛି । ଶୁକ୍ରବାର କ୍ୟାବିନେଟ୍ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା ଏବଂ କଂଗ୍ରେସ ନେତା ଏବଂ ମେଣ୍ଟ ଅଂଶୀଦାରମାନଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ବୈଠକ ପରେ, ରବିବାର ସନ୍ଧ୍ୟାରେ ତାଲିକା ଚୂଡ଼ାନ୍ତ ହୋଇଥିଲା।
ତାଲିକା ଚୂଡ଼ାନ୍ତ ହେବା ପରେ, ସତୀଶନ କହିଛନ୍ତି ଯେ, ମେଣ୍ଟ ନେତାମାନଙ୍କ ସହିତ ଆଲୋଚନା ପରେ ମନ୍ତ୍ରୀମାନଙ୍କ ତାଲିକା ଚୂଡ଼ାନ୍ତ କରାଯାଇଥିଲା ଏବଂ ଏହି ସମୟରେ, ମେଣ୍ଟ ଭିତରେ ସାମାଜିକ ଏବଂ ଆଞ୍ଚଳିକ ସନ୍ତୁଳନକୁ ଧ୍ୟାନରେ ରଖାଯାଇଥିଲା । ସତୀଶନ କହିଛନ୍ତି ଯେ, ଦଳର ବରିଷ୍ଠ ନେତା ରମେଶ ଚେନ୍ନିଥଲା, କେ. ମୁରଲୀଧରନ ଏବଂ ସନି ଯୋସେଫଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ। ନୂତନ ସରକାରରେ ଥିରୁବନଚୁର ରାଧାକୃଷ୍ଣନ ବିଧାନସଭା ବାଚସ୍ପତି ଏବଂ ଶାନିମୋଲ ଉସମାନ ଉପବାଚସ୍ପତି ହେବେ। ସତୀଶନ କହିଛନ୍ତି ଯେ, କଂଗ୍ରେସ ୬୩ଟି ଆସନ ଜିତିବା ସତ୍ତ୍ୱେ, ଅନେକ ଦକ୍ଷ ନେତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇଛି।