Latest Odisha News

BREAKING NEWS

ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ:’ସମୟ ଗଡ଼ିଯାଉଛି, ଯାହା କରିବାର ଅଛି ଶୀଘ୍ର କର’, ବଢିଲା ପଶ୍ଚିମ ଏସିଆ ଟେନସନ୍

ୱାସିଂଟନ/ତେହେରାନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆନୁଷ୍ଠାନିକ ଭାବେ କ୍ଷମତା ଗ୍ରହଣ କରିବା ପୂର୍ବରୁ ଆକ୍ସନ ମୋଡକୁ ଆସିଯାଇଛନ୍ତି। ତାଙ୍କର ପ୍ରଥମ ଟାର୍ଗେଟରେ ଅଛି ଇରାନ। ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଏବଂ ଅଶାନ୍ତି ଭିତରେ ଇରାନକୁ ଏକ କଡ଼ା ବାର୍ତ୍ତା ଦେଇ ଟ୍ରମ୍ପ ସିଧାସଳଖ ଚେତାବନୀ ଶୁଣାଇଛନ୍ତି— “ସମୟ ଗଡ଼ିଯାଉଛି, ଯାହା ନିଷ୍ପତ୍ତି ନେବାର ଅଛି ଶୀଘ୍ର ନିଅ।”

ଟ୍ରମ୍ପଙ୍କ ଏହି ଗୋଟିଏ ବାକ୍ୟର ବୟାନ ଏବେ ଅନ୍ତର୍ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ସାଧାରଣତଃ ନିଜର ଆକ୍ରମଣାତ୍ମକ କୂଟନୀତି ପାଇଁ ଜଣାଶୁଣା ଟ୍ରମ୍ପ, ପୁଣି ଥରେ ନିଜର ପୁରୁଣା ଅନ୍ଦାଜକୁ ଫେରିଛନ୍ତି। ବିନା କୌଣସି କୂଟନୈତିକ ଲୁଚକାଳିରେ ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ତେହେରାନକୁ ଏବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ। ଯଦି ଇରାନ ନିଜର ଆଭିମୁଖ୍ୟ ନବଦଳାଏ, ତେବେ ଜାନୁଆରୀ ୨୦ ତାରିଖରେ ହ୍ୱାଇଟ୍ ହାଉସ୍‌ରେ ପଶିବା ପରେ ସ୍ଥିତି ଭୟଙ୍କର ହେବ।

ଆସନ୍ତା ଜାନୁଆରୀ ୨୦ ତାରିଖରେ ଟ୍ରମ୍ପ ଦେଶର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ। କ୍ଷମତା ହସ୍ତାନ୍ତର ହେବାକୁ ଆଉ ମାତ୍ର କିଛି ସପ୍ତାହ ବାକି ଅଛି। ରାଜନୈତିକ ସମୀକ୍ଷକଙ୍କ ମତରେ, ଟ୍ରମ୍ପଙ୍କ ଏହି ଧମକର ସିଧାସଳଖ ସମ୍ପର୍କ ଇସ୍ରାଏଲ-ହାମାସ ଯୁଦ୍ଧ ଏବଂ ଗାଜାରେ ବନ୍ଦୀ ଥିବା ନିରୀହ ନାଗରିକଙ୍କ ସହ ରହିଛି। ଆମେରିକୀୟ ବନ୍ଦୀମାନଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଟ୍ରମ୍ପ ଚାହୁଁଛନ୍ତି। ହାମାସ, ହିଜବୁଲ୍ଲା ଏବଂ ହୁତି ବିଦ୍ରୋହୀଙ୍କ ଭଳି ପ୍ରକ୍ସି ଗୋଷ୍ଠୀଗୁଡ଼ିକୁ ଇରାନ ହିଁ ପାଣ୍ଠି ଯୋଗାଉଥିବାରୁ, ଏହି ଯୁଦ୍ଧର ସୁଇଚ୍ ଇରାନ ହାତରେ ଅଛି ବୋଲି ୱାସିଂଟନ ଭଲ ଭାବେ ଜାଣେ।

ସେଥିପାଇଁ ଟ୍ରମ୍ପ ଚାହୁଁଛନ୍ତି ଯେ ସେ କ୍ଷମତାକୁ ଆସିବା ପୂର୍ବରୁ ହିଁ ଇରାନ ଏହି ବନ୍ଦୀମାନଙ୍କୁ ଛାଡିବା ଦିଗରେ ନିଜର କାମ କରୁ। ନଚେତ୍, “ମାକ୍ସିମମ୍ ପ୍ରେସର”ନୀତି ପାଇଁ ପ୍ରସ୍ତୁତ ରହୁ।

ଯଦି ଆମେ ରାଜନୈତିକ ଇତିହାସ ପୃଷ୍ଠା ଓଲଟାଇବା, ତେବେ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ଇରାନ ପାଇଁ କୌଣସି ଦୁଃସ୍ୱପ୍ନ ଠାରୁ କମ୍ ନଥିଲା। ୨୦୧୫ର ଆଣବିକ ଚୁକ୍ତିରୁ ଆମେରିକାର ଏକତରଫା ଓହରିଯିବା, ଇରାନ ଉପରେ କଠୋର ଆର୍ଥିକ କଟକଣା ଲଗାଇବା ଏବଂ ସର୍ବୋପରି ୨୦୨୦ ମସିହାରେ ଇରାନର ଟପ୍ କମାଣ୍ଡର କାସିମ ସୋଲେମାନିଙ୍କୁ ଡ୍ରୋନ୍ ଆକ୍ରମଣରେ ହତ୍ୟା କରିବା ଏସବୁ ପ୍ରମାଣ କରେ ଯେ ଟ୍ରମ୍ପ ଇରାନ ପ୍ରତି କେବେବି ନରମ ମନୋଭାବ ପୋଷଣ କରନ୍ତି ନାହିଁ।

ଏବେ ବାଇଡେନ ପ୍ରଶାସନର ବିଦାୟ ଏବଂ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ଇରାନର ସୁପ୍ରିମ ଲିଡର ଆୟାତୁଲ୍ଲା ଅଲି ଖାମେନୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଦେଶର ଭୁଶୁଡି ପଡିଥିବା ଅର୍ଥନୀତି ଏବଂ ନିଜ ଆଭ୍ୟନ୍ତରୀଣ ରାଜନୈତିକ ଚାପ ଭିତରେ ଟ୍ରମ୍ପଙ୍କ ଏହି ‘ଟାଇମ୍ ବମ୍’ ଭଳି ଧମକ ତେହେରାନର ନିଦ ହଜାଇ ଦେଇଛି।

Leave A Reply

Your email address will not be published.