ୱାଶିଂଟନ: ଆକାଶରେ ଚାଲିଥିଲା ରୋମାଞ୍ଚକର ଏୟାର ଶୋ’। ଦର୍ଶକମାନେ ଚାତକ ଭଳି ଯୁଦ୍ଧବିମାନଗୁଡ଼ିକର କୌଶଳ ଦେଖୁଥିଲେ। କିନ୍ତୁ ହଠାତ୍ ଘଟିଗଲା ଏକ ଅଭାବନୀୟ ଘଟଣା। ଆମେରିକାର ଆଇଡାହୋ (Idaho) ରାଜ୍ୟରେ ଆୟୋଜିତ ଏକ ଏୟାର ଶୋ’ ଚାଲିଥିବା ବେଳେ ଆମେରିକୀୟ ନୌସେନାର ଦୁଇଟି ଅତ୍ୟାଧୁନିକ EA-18G Growler ଯୁଦ୍ଧବିମାନ ପରସ୍ପର ସହ ଧକ୍କା ହୋଇଛନ୍ତି। ତେବେ ସୌଭାଗ୍ୟବଶତଃ ଏହି ଭୟଙ୍କର ଦୁର୍ଘଟଣାରେ କୌଣସି ଜୀବନହାନି ଘଟିନାହିଁ ଏବଂ ପାଇଲଟମାନେ ସୁରକ୍ଷିତ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଇଡାହୋର ବୋଇସ୍ ଠାରେ ‘ଗୋୱେନ ଥଣ୍ଡର ଓପନ୍ ହାଉସ୍ ଆଣ୍ଡ ଏୟାର ଶୋ’ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ଆମେରିକୀୟ ନୌସେନାର ଇଲେକ୍ଟ୍ରୋନିକ୍ ଆଟାକ୍ ସ୍କ୍ୱାଡ୍ରନ୍ ବିମାନଗୁଡ଼ିକ ଅଂଶଗ୍ରହଣ କରି ନିଜର ଆକାଶବାଜି ଦେଖାଉଥିଲେ। ଶନିବାର ଅପରାହ୍ନରେ ଯେତେବେଳେ ଦୁଇଟି EA-18G Growler ଯୁଦ୍ଧବିମାନ ଆକାଶରେ ଜଟିଳ ମ୍ୟାନୁଭର କିମ୍ବା ଫର୍ମେସନ୍ କରୁଥିଲେ, ସେହି ସମୟରେ କୌଣସି କାରଣରୁ ଗୋଟିଏ ବିମାନ ଅନ୍ୟ ବିମାନ ସହ ଘସି ହୋଇଯାଇଥିଲା। ଏହା ଏକ ‘ମିଡ୍-ଏୟାର କଲିଜନ୍’ ଥିଲା, ଯାହା ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇପାରିଥାନ୍ତା।
ଧକ୍କା ହେବା ପରେ ମଧ୍ୟ ଉଭୟ ବିମାନର ପାଇଲଟ୍ ଅସାଧାରଣ ଧୈର୍ଯ୍ୟ ଏବଂ ନିପୁଣତାର ପରିଚୟ ଦେଇଥିଲେ। ବିମାନ ଦୁଇଟି ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ ହରାଇନଥିଲେ। ପାଇଲଟମାନେ ସଫଳତାର ସହ ବିମାନଗୁଡ଼ିକୁ ନିକଟସ୍ଥ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରାଇବାରେ ସକ୍ଷମ ହୋଇଥିଲେ। ଆମେରିକୀୟ ନୌସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଉଭୟ ବିମାନର କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ କୌଣସି ଆହତ ହୋଇନାହିଁ। ଭୂପୃଷ୍ଠରେ ମଧ୍ୟ କୌଣସି ଲୋକ ବା ସମ୍ପତ୍ତିର କ୍ଷତି ହୋଇନାହିଁ।
ଏହି ଘଟଣାକୁ ଆମେରିକୀୟ ସେନା ବହୁତ ଗୁରୁତ୍ୱର ସହ ନେଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଧକ୍କା ହେବା କାରଣରୁ ଉଭୟ ବିମାନର ବାହ୍ୟ ଅଂଶରେ ଯଥେଷ୍ଟ କ୍ଷତି ପହଞ୍ଚିଛି। ପ୍ରକୃତରେ ଦୁର୍ଘଟଣାର କାରଣ କ’ଣ ଥିଲା ଏହା କୌଣସି ବୈଷୟିକ ତ୍ରୁଟି ନା ପାଇଲଟଙ୍କ ଭୁଲ ଆକଳନ, ତାହା ଜାଣିବା ପାଇଁ ନୌସେନା ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
EA-18G Growler ହେଉଛି ଆମେରିକାର ସବୁଠାରୁ ଉନ୍ନତ ଇଲେକ୍ଟ୍ରୋନିକ୍ ୱାରଫେୟାର ବିମାନ ମଧ୍ୟରୁ ଅନ୍ୟତମ। ଏହି ଘଟଣା ପରେ ଏୟାର ଶୋ’ର ସୁରକ୍ଷା ବ୍ୟବସ୍ଥା ଏବଂ ବିମାନଗୁଡ଼ିକ ମଧ୍ୟରେ ଥିବା ସମନ୍ୱୟକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
हवा में 2 फाइटर जेट की टक्कर, जमीन पर धमाका… VIDEO में कैद अमेरिका का खतरनाक हादसा #America pic.twitter.com/kineFgKVv1
— NDTV India (@ndtvindia) May 18, 2026