ଥିରୁଅନନ୍ତପୁରମ୍: ସରକାର ଗଢିବାର ମାତ୍ର ୧୦ ଦିନ
ଦୋହଲିଲାଣି ଚୌକି!
ବିଜୟଙ୍କ ପିଛା ଛାଡୁନି ସମସ୍ୟା
ସରକାର ଗଢିବା ପାଇଁ ସଂଘର୍ଷ, ଗଠନ ପରେ ବି ନାହିଁ ଶାନ୍ତି । ତାମିଲନାଡୁରେ ନୂତନ ସରକାର ଗଠନ ହେବାର ମାତ୍ର 10 ଦିନ ପରେ ଟଳମଳ ହେଲାଣି ମୁଖ୍ୟମନ୍ତ୍ରୀ ବିଜୟଙ୍କ ଚୌକି । ପୁଣି ହେବ କି ପୂର୍ବ ଅବସ୍ଥା? ବିପୁଳ ବିଜୟ ପରେ ବି ବହୁମତ ଠାରୁ ୧୦ ଆସନ ଦୂରରେ TVK । ସହଯୋଗୀ ଦଳଙ୍କ ବଳରେ ହୋଇଥିଲେ ବଳିଆନ । ଏବେ ଡରାଇଲେଣି ସହଯୋଗୀ ।
ପୁଣି ନୂଆ ମୋଡ ନେଇଛି ତାମିଲନାଡୁ ରାଜନୀତି । ସହଯୋଗୀ ଦଳ CPIM ଚେତାବନୀ ଦେଇ କହିଛି ଯେ ଯଦି ବିଜୟଙ୍କ ଦଳ, TVK, AIADMK କିମ୍ବା AIADMK ର କୌଣସି ଗୋଷ୍ଠୀ ସହିତ ସରକାର ଗଠନ କରିବାକୁ ନିଷ୍ପତ୍ତି ନିଏ, ତେବେ ଆମେ ନିଶ୍ଚିତ ଭାବରେ TVKକୁ ସମର୍ଥନ ନେଇ ଆମର ନିଷ୍ପତ୍ତିର ପୁନର୍ବିଚାର କରିବୁ। CPIM ରାଜ୍ୟ ସମ୍ପାଦକ ପି. ଶାନମୁଗମ କହିଛନ୍ତି, “ଆମେ TVKକୁ ସମର୍ଥନ କରିଥିଲୁ କାରଣ ତାମିଲନାଡୁ ଆଉ ଏକ ନିର୍ବାଚନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ନଥିଲା। ଏହା ବ୍ୟତୀତ, ଆମର ଲକ୍ଷ୍ୟ ଥିଲା ବିଜେପିକୁ ପଛ ଦ୍ୱାର ଦେଇ ରାଷ୍ଟ୍ରପତି ଶାସନ ଲାଗୁ କରିବାର ଉଦ୍ଦେଶ୍ୟ ପୂରଣ କରିବାରୁ ରୋକିବା। ତୃତୀୟତଃ, ଜନାଦେଶ DMK ଏବଂ AIADMK ବିରୁଦ୍ଧରେ ଥିଲା, ଯେଉଁଥିପାଇଁ TVK ୧୦୮ ଆସନ ସହିତ ସବୁଠାରୁ ବଡ଼ ଦଳ ହୋଇଗଲା, କିନ୍ତୁ ଏହା ବହୁମତ ହାସଲ କରିବାରେ ମଧ୍ୟ ବିଫଳ ହେଲା।” “କେବଳ ସେମାନଙ୍କ ପାଖରେ ସରକାର ଗଠନ କରିବାର ସୁଯୋଗ ଥିଲା, ଏବଂ ସେହି ଆଧାରରେ, ତାମିଲନାଡୁରେ ଲୋକଙ୍କ ପସନ୍ଦର ସରକାର ଗଠନ କରାଯିବା ଉଚିତ। ଏହି ଉଦ୍ଦେଶ୍ୟ ନେଇ, ବାମପନ୍ଥୀ ଦଳ ଏବଂ VCK ଟିଭିକେକୁ ବାହ୍ୟ ସମର୍ଥନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଯଦି ସେମାନେ AIADMKରୁ ପୁଣି ସମର୍ଥନ ଲୋଡ଼ନ୍ତି କିମ୍ବା ସେମାନଙ୍କ ନେତାମାନଙ୍କୁ କ୍ୟାବିନେଟରେ ସାମିଲ କରନ୍ତି, ତେବେ ଏହା ଜନାଦେଶ ବିରୁଦ୍ଧରେ ହେବ” ବୋଲି ସ୍ପଷ୍ଟ ଭାବରେ କହିଛି CPIM ।
TVK ସରକାରଙ୍କୁ ବାହାରୁ ସମର୍ଥନ କରୁଥିବା ସିପିଆଇଏମ୍ ନିଜର ସମର୍ଥନ ପ୍ରତ୍ୟାହାର କରିବାକୁ ଏହି ଧମକ ଦେଇ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି। କାରଣ ଏହି ଧମକ ଏପରି ସମୟରେ ଆସିଛି ଯେତେବେଳେ AIADMK ବିରୋଧରେ ବିଦ୍ରୋହ କରିଥିବା ଏବଂ ବିଶ୍ୱାସ ଭୋଟ ସମୟରେ କ୍ରସ୍-ଭୋଟିଂ କରିଥିବା ୨୫ ଜଣ ବିଧାୟକଙ୍କୁ ବିଜୟଙ୍କ ସରକାରରେ ସାମିଲ କରିବା ପାଇଁ ପ୍ରୟାସ ଚାଲିଛି।
ତେବେ କ’ଣ ସତରେ ଭାଙ୍ଗିଯିବ ବିଜୟଙ୍କ ସରକାର? ଆସନ୍ତୁ ବୁଝିବା କ’ଣ କହୁଛି ଗଣିତ…
ଟିଭିକେ ସରକାର ୧୦୮ ଆସନ ଜିତିବା ପରେ ଗଠନ ହୋଇଥିଲା, ଯେହେତୁ ବହୁମତ ପାଇଁ ୧୧୩ ଆସନ ଆବଶ୍ୟକ ଥିଲା, ସେଥିପାଇଁ କଂଗ୍ରେସର ୫ ଆସନ, ବାମପନ୍ଥୀ ଦଳ, ଭିସିକେ ଏବଂ ଆଇୟୁଏମଏଲର ମୋଟ ୮ ବିଧାୟକଙ୍କ ସମର୍ଥନ ପାଇ ସରକାରରେ ବସିଥିଲେ ବିଜୟ । କିନ୍ତୁ ଏବେ ତାଙ୍କ ସରକାରକୁ ସ୍ଥିର ଏବଂ ମଜବୁତ କରିବା ଉଦ୍ଦେଶ୍ୟରେ, ମୁଖ୍ୟମନ୍ତ୍ରୀ ଯୋସେଫ୍ ବିଜୟ AIADMKର ୨୫ ଜଣ ବିଦ୍ରୋହୀ ବିଧାୟକଙ୍କୁ ସରକାରରେ ସାମିଲ କରିବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଯେଉଁମାନେ ଫ୍ଲୋର ଟେଷ୍ଟ ବେଳେ ବିଜୟଙ୍କୁ ମସର୍ଥନ ଦେଇଥିଲେ । ଏହି କଳ୍ପନାଜଳ୍ପନା ମଧ୍ୟରେ, CPI-M ସମର୍ଥନ ପ୍ରତ୍ୟାହାର କରିବାର ଚେତାବନୀ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଅଡୁଆକୁ ବଢାଇଛି । ଯଦି ଏହା ହୁଏ, ତେବେ କଂଗ୍ରେସର ୫ ଜଣ ବିଧାୟକଙ୍କୁ ଛାଡ଼ି, ବାକି ଚାରି ଦଳର ୮ ଜଣ ବିଧାୟକ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିପାରିବେ। ଯଦିଓ ବିଜୟ AIADMKର ୨୫ ଜଣ ବିଦ୍ରୋହୀ ବିଧାୟକ ଏବଂ AMMKର ଜଣେ ବିଧାୟକଙ୍କ ସମର୍ଥନ ନେଇ ତାଙ୍କ ସରକାରକୁ ବଞ୍ଚାଇବେ, କିନ୍ତୁ ତାଙ୍କର ନିଷ୍ପତ୍ତି ଜନସାଧାରଣଙ୍କ ମଧ୍ୟକୁ ଏକ ନକାରାତ୍ମକ ବାର୍ତ୍ତା ପଠାଇପାରେ। ସେଥିପାଇଁ TVKର ମୂଳ ଦଳ ଏହି ପରିସ୍ଥିତିକୁ ସନ୍ତୁଳିତ ଭାବରେ ସମାଧାନ କରିବାକୁ ଚେଷ୍ଟା କରୁଛି।