Latest Odisha News

BREAKING NEWS

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ହସ୍ତକ୍ଷେପ: ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ

ଫିରୋଜପୁର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଆପତ୍ତି ପରେ ପଞ୍ଜାବର ଫିରୋଜପୁରରେ ଆୟୋଜନ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ସ୍ଥଗିତ ରଖାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୁଧବାର ଦିନ ଏହି ସୂଚନା ଦିଆଯାଇଛି।

 

ସ୍ଥାନୀୟ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଏବଂ କମିଟି ସଦସ୍ୟମାନଙ୍କ ସହ ଆଲୋଚନା ପରେ ଫିରୋଜପୁର ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

ସରକାରୀ ସୂତ୍ର ଅନୁଯାୟୀ, ଫିରୋଜପୁର କ୍ୟାଣ୍ଟନମେଣ୍ଟସ୍ଥିତ ଜଗନ୍ନାଥ ମନ୍ଦିର କମିଟି ପୂର୍ବରୁ ମେ ୨୩ ତାରିଖରେ ରଥଯାତ୍ରା କରିବାକୁ ସ୍ଥିର କରିଥିଲା, ଯାହାକୁ ଏବେ ସ୍ଥଗିତ କରାଯାଇଛି। ଏହା ବଦଳରେ ପାରମ୍ପରିକ ରୀତିନୀତି ଅନୁସାରେ ଆସନ୍ତା ଜୁଲାଇ ୧୬ ତାରିଖରେ ନିର୍ଦ୍ଧାରିତ ତିଥିରେ ହିଁ ଏହି ରଥଯାତ୍ରା ଉତ୍ସବ ପାଳନ କରିବାକୁ ଆୟୋଜକମାନେ ସହମତି ପ୍ରକାଶ କରିଛନ୍ତି। ଏହି ସଂଶୋଧିତ କାର୍ଯ୍ୟସୂଚୀ ଏବଂ ରଥଯାତ୍ରା ସ୍ଥଗିତ ହେବା ସମ୍ପର୍କରେ ଫିରୋଜପୁର ଜିଲ୍ଲାପାଳ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ସୋସିଆଲ ମିଡିଆରେ ଏହି ଅଦିନିଆ ରଥଯାତ୍ରାର ପ୍ରଚାର ପୋଷ୍ଟର ଭାଇରାଲ ହେବା ପରେ ବିବାଦ ଆରମ୍ଭ ହୋଇଥିଲା। ବିନା ପରମ୍ପରାରେ ଅନ୍ୟ ଏକ ତିଥିରେ ରଥଯାତ୍ରା ଆୟୋଜନକୁ ନେଇ ଓଡ଼ିଶାର ଜଗନ୍ନାଥ ପ୍ରେମୀ, ଭକ୍ତ ଏବଂ ମନ୍ଦିର ପ୍ରଶାସନ ତୀବ୍ର ଆପତ୍ତି ପ୍ରକାଶ କରିଥିଲେ।

ଏହାପରେ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଫିରୋଜପୁର ଜିଲ୍ଲା ପ୍ରଶାସନକୁ ପତ୍ର ଲେଖି ଏହି ଅଦିନିଆ ଉତ୍ସବକୁ ତୁରନ୍ତ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ସେ ଦର୍ଶାଇଥିଲେ ଯେ ରଥଯାତ୍ରା ଏକ ପବିତ୍ର ପର୍ବ ଏବଂ ଏହାକୁ ନିର୍ଦ୍ଧାରିତ ଧାର୍ମିକ ପରମ୍ପରା ଓ ମନ୍ଦିର ରୀତିନୀତି ଅନୁଯାୟୀ ହିଁ କରାଯିବା ଉଚିତ। ଏହି ହସ୍ତକ୍ଷେପ ପରେ ପଞ୍ଜାବ ପ୍ରଶାସନ ଓ ସ୍ଥାନୀୟ ମନ୍ଦିର କମିଟି ନିଜର ଭୁଲ୍ ସ୍ୱୀକାର କରି କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ସହ ପାରମ୍ପରିକ ତିଥିରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.