ତୈଳ ସଙ୍କଟ ନାହିଁ, ସବୁ ଠିକ୍ ଅଛି ବୋଲି ସଫେଇ ଦେଲା ଇଣ୍ଡିଆନ ଅଏଲ: କିନ୍ତୁ ଆକାଶଛୁଆଁ ଦର ପାଇଁ ଖାଉଟି କାହିଁକି ସହିବେ ଯନ୍ତ୍ରଣା?
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଗ୍ରାହକଙ୍କ ମନରେ ଉଭୟ ଅସନ୍ତୋଷ ଓ ଆଶଙ୍କା ଦେଖାଦେଇଛି। ବଜାରରେ ତେଲର ଅଭାବ ଦେଖାଦେଇପାରେ ବୋଲି ଯେଉଁ ଗୁଜବ ସୃଷ୍ଟି ହୋଇଥିଲା, ତାହା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପକାଇଛି ଇଣ୍ଡିଆନ ଅଏଲ୍ (Indian Oil)। କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଭାରତରେ ପେଟ୍ରୋଲ କିମ୍ବା ଡିଜେଲର କୌଣସି ଅଭାବ ନାହିଁ ଏବଂ ଦେଶବ୍ୟାପୀ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି।
ଇଣ୍ଡିଆନ ଅଏଲର ସ୍ପଷ୍ଟୀକରଣ ଅନୁଯାୟୀ, ବର୍ତ୍ତମାନର ଦର ବୃଦ୍ଧି ପଛରେ ତୈଳ ଯୋଗାଣର ଅଭାବ ଦାୟୀ ନୁହେଁ। ବରଂ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦରରେ ଅସ୍ଥିରତା ଏବଂ ବିଶ୍ୱବ୍ୟାପୀ ଦେଖାଦେଇଥିବା ଭୌଗୋଳିକ-ରାଜନୈତିକ ଉତ୍ତେଜନା ଏହାର ମୁଖ୍ୟ କାରଣ। ଆନ୍ତର୍ଜାତିକ ବଜାରରେ ତେଲ ଦର ମହଙ୍ଗା ହେଉଥିବାରୁ ଏବଂ ପରିବହନ ଖର୍ଚ୍ଚ ବଢ଼ୁଥିବାରୁ ବାଧ୍ୟ ହୋଇ କମ୍ପାନୀଗୁଡ଼ିକୁ ଭାରତୀୟ ବଜାରରେ ମୂଲ୍ୟ ବୃଦ୍ଧି କରିବାକୁ ପଡ଼ୁଛି। ତେଣୁ ଗ୍ରାହକମାନେ କୌଣସି ପ୍ରକାର ଆତଙ୍କିତ ନହେବାକୁ କମ୍ପାନୀ ନିବେଦନ କରିଛି।
ଯଦିଓ ଇଣ୍ଡିଆନ ଅଏଲର ଏହି ସଫେଇ ବୈଷୟିକ ଦୃଷ୍ଟିକୋଣରୁ ସତ କିନ୍ତୁ ପ୍ରଶ୍ନ ଉଠୁଛି ଯଦି ଦେଶରେ ପର୍ଯ୍ୟାପ୍ତ ପରିମାଣର ତୈଳ ଗଚ୍ଛିତ ଅଛି ଏବଂ ଋଷିଆ ଭଳି ଦେଶରୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ କିଣାଯାଉଛି, ତେବେ ତାର ସିଧାସଳଖ ଲାଭ ଦେଶର ସାଧାରଣ ଖାଉଟିଙ୍କୁ କାହିଁକି ମିଳୁନାହିଁ?
ଯେତେବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଏ, ସେତେବେଳେ ତୁରନ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ବଢ଼ାଇ ଦିଆଯାଏ। କିନ୍ତୁ ଯେତେବେଳେ ବିଶ୍ୱ ବଜାରରେ ତୈଳ ଦର ହ୍ରାସ ପାଏ, ସେତେବେଳେ ସେହି ଅନୁପାତରେ ଗ୍ରାହକଙ୍କ ପାଇଁ ତେଲ ଦର କାହିଁକି କମାଯାଏ ନାହିଁ?
କେନ୍ଦ୍ର ସରକାରଙ୍କ ଏକ୍ସାଇଜ୍ ଡ୍ୟୁଟି ଏବଂ ରାଜ୍ୟ ସରକାରଙ୍କ ଭ୍ୟାଟ୍ ରୋଗୀଣା ଅର୍ଥନୀତିକୁ ସୁଧାରିବା ପାଇଁ ଉଦ୍ଦିଷ୍ଟ ହୋଇପାରେ, କିନ୍ତୁ ଏହାର ସମସ୍ତ ବୋଝ କେବଳ ସାଧାରଣ ଲୋକ କାହିଁକି ମୁଣ୍ଡାଇବେ? ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ଦେବା ପାଇଁ ଟିକସ ହ୍ରାସ କରିବା କ’ଣ ସରକାରଙ୍କ ଦାୟିତ୍ୱ ନୁହେଁ କି?
‘ଦେଶରେ ତେଲ ଅଭାବ ନାହିଁ’ କହିଦେବା ପ୍ରଶାସନ ଓ କମ୍ପାନୀ ପାଇଁ ଏକ ସହଜ ଉତ୍ତର। କିନ୍ତୁ ବାସ୍ତବିକତା ହେଉଛି, ପେଟ୍ରୋଲ-ଡିଜେଲ ଦର ବୃଦ୍ଧି କେବଳ ଗାଡ଼ି ମୋଟର ଯାଏଁ ସୀମିତ ନୁହେଁ। ପରିବହନ ଖର୍ଚ୍ଚ ବଢ଼ିବା ସହ ପନିପରିବା, ରାସନ୍ ସାମଗ୍ରୀ ଏବଂ ଜୀବନ ରକ୍ଷାକାରୀ ଔଷଧ ମଧ୍ୟ ମହଙ୍ଗା ହେବାରେ ଲାଗିଛି। ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ କେବଳ କାରଣ ନଦର୍ଶାଇ, କିପରି ଏହି ଅହେତୁକ ଦର ବୃଦ୍ଧିରେ ଲଗାମ ଲଗାଯାଇପାରିବ, ସେ ଦିଗରେ ଏକ ଦୀର୍ଘମିଆଦୀ ନୀତି ପ୍ରସ୍ତୁତ କରିବାର ସମୟ ଆସିଯାଇଛି।