ଭୁବନେଶ୍ବର: ଓଡ଼ିଶାର ନଅ ଜଣ ଲେଖକ ବୁଦ୍ଧିଜୀବୀ ଓ ଭାଷାପ୍ରେମୀ ‘ନବଗୁଞ୍ଜର’ ଅନୁଷ୍ଠାନ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ଭୁବନେଶ୍ବରର ଅକ୍ଷର ଭୂମିରୁ ଗୋଟିଏ ତ୍ରୁଟିପୂର୍ଣ୍ଣ ଅକ୍ଷର ତୁରନ୍ତ ହଟାଇବା ପାଇଁ ନିବେଦନ କରିଛନ୍ତି।
ଏହି ଅକ୍ଷର ଭୂମି ଫେବ୍ରୁଆରୀ ୨୦୨୪ ମାସରେ ପୂର୍ବତନ ରାଜ୍ୟ ସରକାରଙ୍କ ଅମଳରେ ଆୟୋଜନ କରାଯାଇଥିବା ବିଶ୍ବ ଓଡ଼ିଆ ସମ୍ମିଳନୀ ଉପଲକ୍ଷେ ସ୍ଥାପନ କରାଯାଇଥିଲା। ତ୍ରୁଟିପୂର୍ଣ୍ଣ ଅକ୍ଷରଟିକୁ ଓଡ଼ିଆ ଭାଷା ପ୍ରତି ଏକ ଅପମାନ ବୋଲି ଦର୍ଶାଇ ଏହାକୁ ପରିବର୍ତ୍ତନ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଆସୁଥିଲା। କିନ୍ତୁ ପରେ କ୍ଷମତାକୁ ଆସିଥିବା ରାଜ୍ୟସରକାର ମଧ୍ୟ ସେଥିପ୍ରତି କର୍ଣ୍ଣପାତ କରିପାରିନଥିଲେ। କୋଟି କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା ଏହି ଅକ୍ଷର ଭୂମିରୁ ବିରାଟ ପ୍ରସ୍ତର ଫଳକଗୁଡ଼ିକରେ ତ୍ରୁଟିପୂର୍ଣ୍ଣ ଭାବରେ ଖୋଦିତ ହୋଇଥିବା ଏହି ଅକ୍ଷରଗୁଡ଼ିକ ପ୍ରଦର୍ଶନ କରି ଆମ ରାଜ୍ୟ ଓ ଜାତିର ଭାଷାକୁ ଦିବାଲୋକରେ ଅବହେଳା କରାଯାଉଛି।
ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭାଷା ପ୍ରେମୀ। ନୂଆଦିଲ୍ଲୀରେ ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ମିଡିଆ ପରାମର୍ଶଦାତା ତଥା ଢ଼େଙ୍କାନାଳସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେଶନ୍ର ପୂର୍ବତନ ନିର୍ଦ୍ଦେଶକ ଉମାକାନ୍ତ ମିଶ୍ର, ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ତଥା ବିଶିଷ୍ଟ ସଂସ୍କୃତି ଭାଷ୍ୟକାର ଶାନ୍ତନୁ କୁମାର ରଥ, ବିଖ୍ୟାତ ଲେଖକ ତଥା ସୁବକ୍ତା ଦାଶ ବେନହୁର, ଓଡ଼ିଆ ସାହିତ୍ୟର ସୁବିଦିତ ଅଧ୍ୟାପକ ଓ ପ୍ରାବନ୍ଧିକ ଉଦୟନାଥ ସାହୁ, ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ଆମେରିକାର ଓଡିଆ ଶିଳ୍ପୋଦ୍ୟୋଗୀ ତଥା ଭାଷାପ୍ରେମୀ ଧୀରେନ୍ଦ୍ର କର, କାନାଡ଼ାରେ ରହୁଥିବା ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ବିଶେଷଜ୍ଞ ପ୍ରଶାନ୍ତ ଭୂୟାଁ, ସକ୍ରିୟ ସାଂସ୍କୃତିକ ସଙ୍ଗଠକ ଜିତେନ୍ଦ୍ର ମହାନ୍ତି ଓ ସାହିତ୍ୟ ଚର୍ଚ୍ଚା ପତ୍ରିକାର ସମ୍ପାଦକ ନିହାର ଶତପଥୀ।