ଭୁବନେଶ୍ୱର: ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଚିଠିରେ ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ଆଠଗଡ଼ ବିଧାନସଭା ଅଞ୍ଚଳର ତିଗିରିଆ ବ୍ଲକରେ ପଞ୍ଚାୟତ ସମିତି ବୈଠକକୁ ଯାଉଥିବା ବେଳେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କିଛି ଦୁର୍ବୃତ୍ତ ଅଟକାଇଥିଲେ। ତାଙ୍କୁ ଭୟଭୀତ କରାଯାଇଥିବା ସହ ଶାରୀରିକ ଭାବେ ବାଧା ଦିଆଯାଇଥିବା କଥା ସେ କହିଛନ୍ତି।
ଏହି ଘଟଣା କେବଳ ଏକ ସାଧାରଣ ରାଜନୈତିକ ସଂଘର୍ଷ ନୁହେଁ, ବରଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ସିଧାସଳଖ ଆକ୍ରମଣ ବୋଲି ନବୀନ ଚିଠିରେ ଲେଖିଛନ୍ତି। ଜନପ୍ରତିନିଧିମାନେ ଯଦି ନିଜ କାର୍ଯ୍ୟ କରିବା ବେଳେ ସୁରକ୍ଷିତ ନୁହନ୍ତି, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠୁଛି ବୋଲି ସେ ଉଦ୍ବେଗ ପ୍ରକାଶ କରିଛନ୍ତି।
ଘଟଣାରେ ଜଡ଼ିତ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୁଧାରିବାକୁ ମଧ୍ୟ ନବୀନ ପଟ୍ଟନାୟକ ଦାବି କରିଛନ୍ତି।