ଝାରସୁଗୁଡ଼ା: ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ । ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ଥାନା ଅନ୍ତର୍ଗତ ଓଡ଼ିଶା–ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି ବେଳେ ଚଢାଉ କରିଛି ପୋଲିସ । ପୋଲିସ ସେଠାରେ ବେଆଇନ ଭାବେ ଚାଲିଥିବା ଏକାଧିକ ମଦ ପ୍ରସ୍ତୁତି କେନ୍ଦ୍ର ଠାବ କରିବା ସହ ମଦ ରନ୍ଧା ପାଇଁ ବ୍ୟବହୃତ ହେଉଥିବା ପ୍ରାୟ ୧୭ଟି ବେଆଇନ ଚୁଲିକୁ ଘଟଣାସ୍ଥଳରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ନଷ୍ଟ କରିଦେଇଛି ।
ଏହି ସମୟରେ ପ୍ରାୟ ୮୭୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଥିବାବେଳେ, ୩୦ କ୍ୱିଣ୍ଟାଲରୁ ଅଧିକ ମହୁଲ ପୋଚ ଜବତ ହୋଇଛି । ଏହା ବ୍ୟତୀତ ୨୦ କ୍ୱିଣ୍ଟାଲରୁ ଅଧିକ ନଷ୍ଟ ମହୁଲ ପୋଚ ନଷ୍ଟ କରାଯାଇଛି । ଲଖନପୁରର ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍-ତଥା-ଅତିରିକ୍ତ ତହସିଲଦାରଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି ସମଗ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।
ଗୋଟିଏ ୪ ଚକିଆ ଯାନ ଏବଂ ୪ଟି ୨ ଚକିଆ ମୋଟରସାଇକେଲ ଜବତ ହୋଇଛି । ମଦ ପ୍ରସ୍ତୁତିରେ ବ୍ୟବହୃତ ବୃହତ ପାତ୍ର, ସରଞ୍ଜାମ ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଏହା ସହ ୮ ଜଣଙ୍କୁ ଗିରଫ କରାଯାଇଛି । ସମସ୍ତ ୮ ଜଣ ଅଭିଯୁକ୍ତ ରେଙ୍ଗାଲି ଥାନା ଅନ୍ତର୍ଗତ ବାଦଧରା ଗ୍ରାମର । ସେମାନଙ୍କ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।