ନୂଆଦିଲ୍ଲୀ: ନକ୍ସଲବାଦ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ପରେ, କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ପ୍ରମୁଖ ଲକ୍ଷ୍ୟ ହେଉଛି ଅବୈଧ ଅନୁପ୍ରବେଶକୁ ରୋକିବା ଏବଂ ସୀମା ସୁରକ୍ଷାକୁ ସମ୍ପୂର୍ଣ୍ଣ ଅଭେଦ୍ୟ କରିବା । ଏହି ରଣନୀତିର ଅଂଶ ଭାବରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, କେନ୍ଦ୍ର ସରକାର “ଅବୈଧ ଅନୁପ୍ରବେଶ ଏବଂ ଅନ୍ୟାନ୍ୟ ଅପ୍ରାକୃତିକ କାରଣ” ଯୋଗୁଁ ଦେଶରେ ହେଉଥିବା ଜନସଂଖ୍ୟାଗତ ପରିବର୍ତ୍ତନର ତଦନ୍ତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।
ଶାହ ଏକ୍ସ ରେ ଏକ ପୋଷ୍ଟ କରି କହିଛନ୍ତି, “ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ହେଉଥିବା ଅସ୍ବାଭାବିକ ଜନସଂଖ୍ୟାଗତ ପରିବର୍ତ୍ତନ ଯେକୌଣସି ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ।”
ଶାହା ବ୍ୟାଖ୍ୟା କରିଥିଲେ ଯେ, ଗତ ବର୍ଷ ୧୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ଏହି କମିଟି ଗଠନ କରାଯାଇଥିଲା, ଯେଉଁଥିରେ ସେ “ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଏକ ଉଚ୍ଚସ୍ତରୀୟ କମିଟି” ଗଠନ ପାଇଁ ଆହ୍ୱାନ କରିଥିଲେ । ଶାହଙ୍କ ଅନୁଯାୟୀ, ପ୍ୟାନେଲର ଅଧ୍ୟକ୍ଷତା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରକାଶ ପ୍ରଭାକର ନାଓଲେକର କରିବେ ଏବଂ ଏଥିରେ ଜନଗଣନା କମିଶନର ଦୁର୍ଗା ଶଙ୍କର ମିଶ୍ର, ପୂର୍ବତନ ଆଇଏଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ଅର୍ଥନୀତିଜ୍ଞ ଡକ୍ଟର ଶମିକା ରବି ସଦସ୍ୟ ଭାବରେ ରହିବେ ।
ଅମିତ ଶାହ ତାଙ୍କ ପୋଷ୍ଟରେ କହିଛନ୍ତି, “ଜନସଂଖ୍ୟାଗତ ପରିବର୍ତ୍ତନ ଆମର ସାର୍ବଭୌମତ୍ୱ, ଜାତୀୟ ସୁରକ୍ଷା, ଆଇନ ଏବଂ ଶୃଙ୍ଖଳା, ସାମାଜିକ ଗଠନରେ ଗମ୍ଭୀର ପରିବର୍ତ୍ତନ ଏବଂ ଆଦିବାସୀ ସମାଜର ସୁରକ୍ଷା ସହିତ ଜଡିତ ଏକ ଗମ୍ଭୀର ସମସ୍ୟା । ଏହି କମିଟି ଅବୈଧ ପ୍ରବାସ ଏବଂ ଅନ୍ୟାନ୍ୟ ଅସ୍ୱାଭାବିକ କାରଣ ଯୋଗୁଁ ସମଗ୍ର ଭାରତରେ ହେଉଥିବା ଜନସଂଖ୍ୟାଗତ ପରିବର୍ତ୍ତନର ବ୍ୟାପକ ମୂଲ୍ୟାଙ୍କନ କରିବ, ଧାର୍ମିକ ଏବଂ ସାମାଜିକ ସମ୍ପ୍ରଦାୟ ସ୍ତରରେ ଅସ୍ୱାଭାବିକ ଜନସଂଖ୍ୟା ପରିବର୍ତ୍ତନର ଢାଞ୍ଚା ବିଶ୍ଳେଷଣ କରିବ ଏବଂ ଏକ ଯୋଜନାବଦ୍ଧ ଏବଂ ସମୟୋଚିତ ସମାଧାନ ପ୍ରସ୍ତାବ ଦେବ।”