ଭୁବନେଶ୍ୱର: ବାରଙ୍ଗ ଥାନାକୁ ନେଇ ଉଠିଥିବା ଥାର୍ଡ ଡିଗ୍ରୀ ବିବାଦ ଏବେ ଆହୁରି ଜଟିଳ ହୋଇପଡ଼ିଛି। ଦିନ ଯେତିକି ଗଡ଼ୁଛି, ସେତିକି ନୂଆ ନୂଆ ପ୍ରଶ୍ନ ସାମ୍ନାକୁ ଆସୁଛି। ଆଉ ଏହି ପ୍ରଶ୍ନର କେନ୍ଦ୍ରବିନ୍ଦୁରେ ଅଛନ୍ତି ରାକେଶ ବେହେରା।
ଗ୍ରାମବାସୀଙ୍କ ଅଭିଯୋଗ, ପ୍ରକୃତ ତଦନ୍ତ ଆରମ୍ଭ ହେବା ପୂର୍ବରୁ କଟକ ଡିସିପି କେମିତି ଘୋଷଣା କରିଦେଲେ ଯେ ଥାର୍ଡ ଡିଗ୍ରୀ ହୋଇନାହିଁ? ତଦନ୍ତ ସରିବା ପୂର୍ବରୁ ଏଭଳି ବୟାନ କାହିଁକି? ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ସନ୍ଦେହ ବଢ଼ୁଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯଦି ପୋଲିସ ରାକେଶଙ୍କୁ ମାଡ଼ ମାରିନାହିଁ, ତେବେ ତାଙ୍କ ଶରୀରରେ ଥିବା ଆଘାତ ଚିହ୍ନ ଆସିଲା କୁଆଡୁ? ପରିବାର ଓ ଗ୍ରାମବାସୀଙ୍କ ଦାବି, ରାକେଶଙ୍କୁ ଥାନା ଭିତରେ ଏବଂ ପରେ ଜଙ୍ଗଲ ଅଞ୍ଚଳକୁ ନେଇ ନିର୍ମମ ଭାବେ ପିଟାଯାଇଛି। ଯଦି ଏହି ଅଭିଯୋଗ ଭୁଲ, ତେବେ ତାହାର ପ୍ରମାଣ ସାମ୍ନାକୁ ଆଣିବା ଦାୟିତ୍ୱ ପୋଲିସର ବୋଲି କହୁଛନ୍ତି ସ୍ଥାନୀୟ ଲୋକ।
ଘଟଣାର ଆଉ ଏକ ରହସ୍ୟମୟ ଦିଗ ହେଉଛି ରାକେଶଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଘଟଣା। ଥାନା ହାଜତରୁ ସିଧା ନଖରାସ୍ଥିତ ଏକ ଘରୋଇ ହସ୍ପିଟାଲକୁ ରାକେଶ କେମିତି ପହଞ୍ଚିଲେ? ତାଙ୍କୁ କିଏ ସେଠାରେ ଭର୍ତ୍ତି କଲା? କାହିଁକି କଲା?
ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, “ବିକ୍ରମ ସେନାପତି” ନାମକ ଜଣେ ବ୍ୟକ୍ତି ରାକେଶଙ୍କୁ ହସ୍ପିଟାଲରେ ଆଡମିଟ୍ କରାଇଥିଲେ। ଏବେ ପ୍ରଶ୍ନ ଉଠୁଛି, କିଏ ଏହି ବିକ୍ରମ ସେନାପତି? ରାକେଶଙ୍କ ସହ ତାଙ୍କର କଣ ସମ୍ପର୍କ? ବାରଙ୍ଗ ପୋଲିସ ସହ ତାଙ୍କର କୌଣସି ସମ୍ପର୍କ ଅଛି କି? ନା ଏହି ଘଟଣାର କୌଣସି ଗୁରୁତ୍ୱପୂର୍ଣ୍ଣ ସୂତ୍ର ଲୁଚି ରହିଛି ତାଙ୍କ ପାଖରେ?
ଏପଟେ ରାକେଶଙ୍କ ପରିବାରର ଅଭିଯୋଗ ଆହୁରି ସଙ୍ଗୀନ। ସେମାନଙ୍କ କହିବା କଥା, ହସ୍ପିଟାଲରେ ରାକେଶଙ୍କୁ ଦେଖିବା ପାଇଁ ତାଙ୍କ ବୃଦ୍ଧ ବାପାଙ୍କୁ ଛାଡ଼ି ପରିବାରର ଅନ୍ୟ କାହାକୁ ଅନୁମତି ଦିଆଯାଉ ନାହିଁ। ଏହା ପଛର କାରଣ କଣ? ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଗ୍ରାମବାସୀଙ୍କ ଦାବି, ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଥାନା ଏବଂ ଆଖପାଖ ଅଞ୍ଚଳର ସମସ୍ତ ସିସିଟିଭି ଫୁଟେଜ୍ ସାର୍ବଜନୀନ କରାଯାଉ। ଏହା ସହିତ ପୋଲିସ ଓ ଡାକ୍ତରୀ ଟିମ୍ ମିଳିତ ଭାବେ ଏକ ପ୍ରେସ୍ମିଟ୍ କରି ରାକେଶଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଲୋକଙ୍କ ସାମ୍ନାରେ ରଖନ୍ତୁ।
ଏବେ ସବୁଠାରୁ ବଡ଼ ପ୍ରଶ୍ନ, ରାକେଶଙ୍କ ପରିବାର ସତ କହୁଛନ୍ତି, ନା ପୋଲିସ? ଆଉ ଏହି ସମଗ୍ର ଘଟଣାରେ ବିକ୍ରମ ସେନାପତିଙ୍କ ଭୂମିକା କଣ?