ଭୁବନେଶ୍ୱର: ବାଂଲାଦେଶୀ ଅନୁପ୍ରବେଶକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଞ୍ଚଳରେ ସତର୍କ ହୋଇଛି ଓଡ଼ିଶା ପୋଲିସ। ସୀମାକୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିବାବେଳେ ସନ୍ଦିଗ୍ଧ ଗତିବିଧି ଉପରେ ବିଶେଷ ନଜର ରଖାଯାଉଛି। କାରଣ ପଶ୍ଚିମବଙ୍ଗରେ ଏବେ ହଜାର ହଜାର ଅନୁପ୍ରବେଶକାରୀ ରାଜ୍ୟ ଛାଡୁଛନ୍ତି। ତେଣୁ ଆଶଙ୍କା ରହିଛି ସେମାନେ ଓଡ଼ିଶାରେ ଅନୁପ୍ରବେଶ କରିପାରନ୍ତି।
ବିଶେଷକରି ବାଲେଶ୍ୱର, ମୟୂରଭଞ୍ଜ ଓ ସୀମାବର୍ତ୍ତୀ ଅନ୍ୟ ଅଞ୍ଚଳରେ ପୋଲିସ ଓ ଗୁଇନ୍ଦା ସଂସ୍ଥାମାନେ ଅଧିକ ସକ୍ରିୟ ହୋଇଛନ୍ତି। ଯାତ୍ରୀବାହୀ ଗାଡ଼ି, ଭଡ଼ାଘର ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ତଦନ୍ତ ବଢ଼ାଯାଇଛି।
ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ କହିଛନ୍ତି, ପଶ୍ଚିମବଙ୍ଗ ସୀମା ଦେଇ ଅବୈଧ ଭାବେ କେହି ଓଡ଼ିଶାରେ ପ୍ରବେଶ କରିଛନ୍ତି କି ନାହିଁ, ସେନେଇ କଡ଼ା ନଜର ରଖାଯାଉଛି। ସମସ୍ତ ଜିଲ୍ଲା ପୋଲିସକୁ ସତର୍କ ରହିବା ସହ ନିୟମିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ସମ୍ପ୍ରତି କିଛି ରାଜ୍ୟରେ ଅବୈଧ ଅନୁପ୍ରବେଶକାରୀଙ୍କୁ ନେଇ ଅଭିଯାନ ଚାଲିଥିବାରୁ ଓଡ଼ିଶା ମଧ୍ୟ ପୂର୍ବ ସତର୍କତାମୂଳକ ପଦକ୍ଷେପ ନେଇଛି। ଏହାର ଅଂଶ ଭାବେ ସୀମା ଅଞ୍ଚଳରେ ପାଟ୍ରୋଲିଂ ବଢ଼ାଯାଇଛି ଏବଂ ସ୍ଥାନୀୟ ପୋଲିସକୁ ସଜାଗ ରହିବାକୁ କୁହାଯାଇଛି।
ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ମଧ୍ୟ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗତିବିଧି ନଜରକୁ ଆସିଲେ ତୁରନ୍ତ ନିକଟସ୍ଥ ଥାନାକୁ ସୂଚନା ଦେବାକୁ କୁହାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବାବେଳେ ବର୍ତ୍ତମାନ ସ୍ଥିତି ଉପରେ ଲଗାତାର ନଜର ରଖାଯାଉଥିବା ସୂଚନା ମିଳିଛି।