ଗଜପତି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ଉପରେ ହଠାତ୍ କେବିନର ଛାତର ସିଲିଂ ଖସି ପଡ଼ିଥିଲା । ସୌଭାଗ୍ୟବଶତଃ ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅଘଟଣ ଘଟିଛି ।
ସୂଚନାଥାଉକି, ପାରଳାଖେମୁଣ୍ଡିର ସାମୁଟିଆସାହିର ବାସିନ୍ଦା ଭବଶ୍ରୀ ହଳଦର ଆଜି ଦିନ ପ୍ରାୟ ୧୨ଟା ସମୟରେ ଏକ ଅପରେସନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କେବିନ ନମ୍ବର–୬୩ରେ ଭର୍ତ୍ତି ହୋଇଥିଲେ। ଡ୍ରେସିଂ ସରିବା ପରେ ସେ କେବିନ ଭିତରେ ବିଶ୍ରାମ କରୁଥିଲେ । ଏହି ସମୟରେ ହଠାତ୍ ଛାତର ସିଲିଂର ଏକ ଅଂଶ ଖସି ପଡ଼ିଥିଲା। ସେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଛନ୍ତି।
ଏଭଳି ଘଟଣା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମିର ଗୁଣବତ୍ତା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ରୋଗୀ ଓ ତାଙ୍କ ପରିବାର ଲୋକେ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।