Latest Odisha News

BREAKING NEWS

ଅଭିଷେକଙ୍କ ପରେ ଏବେ କଲ୍ୟାଣ ବାନାର୍ଜୀଙ୍କୁ ଟାର୍ଗେଟ: ହୁଗୁଳିରେ ଟିଏମସି ସାଂସଦଙ୍କ ଉପରେ ସାଂଘାତିକ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ହେବା ପରେ ମଧ୍ୟ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ। ଶନିବାର ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ରବିବାର ଦଳର ବରିଷ୍ଠ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ସାଂଘାତିକ ଆକ୍ରମଣ ହୋଇଛି। ହୁଗୁଳି ଜିଲ୍ଲା ଚଣ୍ଡୀତଳା ପୋଲିସ ଷ୍ଟେସନ ନିକଟରେ ତାଙ୍କୁ ଆକ୍ରମଣ କରାଯାଇଛି ଯେଉଁଥିରେ ସେ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ସାଂସଦ କଲ୍ୟାଣ ବାନାର୍ଜୀ ଏକ ସ୍ମାରକପତ୍ର ଦେବା ପାଇଁ ପୋଲିସ ଷ୍ଟେସନକୁ ଯାଉଥିଲେ। ଏହି ସମୟରେ କିଛି ଲୋକ ତାଙ୍କୁ ଘେରିଯାଇ ବିରୋଧ ପ୍ରଦର୍ଶନ କରିଥିଲେ। ଦେଖୁ ଦେଖୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଥିଲା ଏବଂ ଭିଡ଼ ମଧ୍ୟରୁ କେହି ଜଣେ ତାଙ୍କ ମୁଣ୍ଡକୁ ଏକ ବଲ୍ ଫିଙ୍ଗି ମାରିଥିଲେ। ଏଥିରେ ସାଂସଦଙ୍କ ମୁଣ୍ଡ ଫାଟିଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳର ଭିଡିଓରେ ସେ ଏକ ରୁମାଲରେ ନିଜ ମୁଣ୍ଡକୁ ଚାପି ଧରିଥିବାର ଦେଖିବାକୁ ମିଳିଛି।

ଆକ୍ରମଣ ପଛରେ ବିଜେପି କର୍ମୀଙ୍କ ହାତ ଥିବା ନେଇ କଲ୍ୟାଣ ବାନାର୍ଜୀ ସିଧାସଳଖ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ବିଜେପି ସମର୍ଥକମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଚୋର ଚୋର ସ୍ଲୋଗାନ ଦେଇଥିଲେ। ପୋଲିସ ଉପସ୍ଥିତିରେ ଏଭଳି ଆକ୍ରମଣ ହେବା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣା ପରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ସେ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ଏବଂ ବିଜେପିର ଏହି ପ୍ରାୟୋଜିତ ଆକ୍ରମଣ ବିରୋଧରେ ଲଢେଇ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି। ଅନ୍ୟପଟେ ବିଜେପି ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି। ସାଧାରଣ ଲୋକେ ଟିଏମସି ନେତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଏଭଳି କାଣ୍ଡ ଭିଆଇଥିବା ବିଜେପି ପକ୍ଷରୁ କୁହାଯାଇଛି।

ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସୋନାରପୁରରେ ଅଭିଷେକ ବାନାର୍ଜୀଙ୍କୁ ଠେଲାପେଲା କରାଯିବା ସହ ଅଣ୍ଡା ଓ ପଥର ମାଡ଼ ହୋଇଥିଲା। କ୍ରମାଗତ ଭାବେ ଟିଏମସିର ବଡ଼ ନେତାଙ୍କୁ ଟାର୍ଗେଟ କରାଯାଉଥିବାରୁ ରାଜ୍ୟ ରାଜନୀତି ଏବେ ବେଶ୍ ସରଗରମ ହୋଇପଡିଛି।

Leave A Reply

Your email address will not be published.