ଟ୍ରକ ପଛରେ କାହିଁକି ଲେଖାଥାଏ ‘Horn OK Please’? ଜାଣନ୍ତୁ ଏହା ପଛର ରହସ୍ୟ ଏବଂ ମହାରାଷ୍ଟ୍ର ସରକାର କାହିଁକି ଲଗାଇଲେ କଟକଣା
ନୂଆଦିଲ୍ଲୀ: ରାସ୍ତାରେ ଯିବା ଆସିବା ସମୟରେ ଆପଣ ନିଶ୍ଚୟ ଟ୍ରକ କିମ୍ବା ଅନ୍ୟ ଗାଡ଼ି ପଛରେ ‘Horn OK Please’ ହର୍ଣ୍ଣ ଓକେ ପ୍ଲିଜ୍ ଲେଖା ହୋଇଥିବାର ଦେଖିଥିବେ। ଏହା ଆମ ଦେଶରେ ଏକ ସାଧାରଣ ଦୃଶ୍ୟ ପାଲଟିଯାଇଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଧାଡି ପଛରେ ପ୍ରକୃତରେ କଣ ରହସ୍ୟ ରହିଛି। ଅନେକ ଲୋକ ଭାବନ୍ତି ଯେ ଓଭରଟେକ୍ କରିବା ପୂର୍ବରୁ ହର୍ଣ୍ଣ ମାରିବାକୁ କହିବା ପାଇଁ ଏହା ଲେଖାଯାଇଥାଏ। ତେବେ ଏହା ପଛରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ବଡ଼ ଇତିହାସ ଲୁଚି ରହିଛି ଯାହା ଖୁବ୍ କମ୍ ଲୋକ ଜାଣନ୍ତି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସାରା ବିଶ୍ୱରେ ଇନ୍ଧନର ଘୋର ଅଭାବ ଦେଖାଦେଇଥିଲା। ପେଟ୍ରୋଲ ଏବଂ ଡିଜେଲ ନମିଳିବା କାରଣରୁ ସେହି ସମୟରେ ଅନେକ ଗାଡ଼ି କିରୋସିନରେ ଚାଲୁଥିଲା। କିରୋସିନ ଏକ ଅତ୍ୟନ୍ତ ଦହନଶୀଳ ପଦାର୍ଥ ହୋଇଥିବାରୁ ସାମାନ୍ୟ ଦୁର୍ଘଟଣା ଘଟିଲେ ମଧ୍ୟ ଗାଡ଼ିରେ ନିଆଁ ଲାଗିଯିବା ସହ ବଡ଼ ବିସ୍ଫୋରଣ ହେବାର ଭୟ ରହୁଥିଲା। ତେଣୁ ପଛରେ ଆସୁଥିବା ଗାଡ଼ିକୁ ସତର୍କ କରିବା ପାଇଁ ଗାଡ଼ି ପଛରେ ଓକେ ବା ଅନ୍ କିରୋସିନ (On Kerosene) ଲେଖାଯାଉଥିଲା। ଦୁର୍ଘଟଣା ଏଡ଼ାଇବା ପାଇଁ ପଛ ଗାଡ଼ିକୁ ଏକ ନିର୍ଦ୍ଦିଷ୍ଟ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ଏହା ଏକ ଚେତାବନୀ ଥିଲା।
ସମୟ କ୍ରମେ ଏହି ଓକେ ଶବ୍ଦ ହର୍ଣ୍ଣ ଏବଂ ପ୍ଲିଜ୍ ସହିତ ଯୋଡ଼ି ହୋଇ ଭାରତୀୟ ସଂସ୍କୃତିର ଏକ ଅଂଶ ହୋଇଗଲା। ବର୍ତ୍ତମାନ ସମୟରେ ବଡ଼ ବଡ଼ ଟ୍ରକ ଚଲାଉଥିବା ଡ୍ରାଇଭରମାନେ ପଛକୁ ଠିକ୍ ଭାବେ ଦେଖିପାରନ୍ତି ନାହିଁ। ତେଣୁ ପଛରୁ ଆସୁଥିବା ଗାଡ଼ି ଯଦି ଓଭରଟେକ୍ କରିବାକୁ ଚାହେଁ ତେବେ ସେ ହର୍ଣ୍ଣ ମାରିବା ଦରକାର। ଟ୍ରକ ଡ୍ରାଇଭର ସାଇଡ୍ ଦେବା ପାଇଁ ପ୍ରସ୍ତୁତ ଥିଲେ ବାକି ସବୁ ଓକେ ଥିଲେ ପଛ ଗାଡ଼ି ଆଗକୁ ଯାଇପାରିବ ବୋଲି ଏହା ଦର୍ଶାଏ।
କିନ୍ତୁ ଗାଡ଼ି ପଛରେ ଥିବା ଏହି ଲୋକପ୍ରିୟ ଧାଡ଼ି ଉପରେ ମହାରାଷ୍ଟ୍ର ସରକାର ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି। ମହାରାଷ୍ଟ୍ର ପରିବହନ ବିଭାଗର କହିବା ଅନୁଯାୟୀ ଏହି ଲେଖା ଲୋକଙ୍କୁ ଅଯଥାରେ ହର୍ଣ୍ଣ ମାରିବାକୁ ଉତ୍ସାହିତ କରୁଛି। ଗାଡ଼ି ପଛରେ ଏହି ଲେଖା ଦେଖି ପଛରେ ଆସୁଥିବା ଚାଳକମାନେ କୌଣସି କାରଣ ନଥାଇ ବାରମ୍ବାର ହର୍ଣ୍ଣ ମାରୁଛନ୍ତି। ଏହାଦ୍ୱାରା ରାସ୍ତାରେ ପ୍ରବଳ ଶବ୍ଦ ପ୍ରଦୂଷଣ ହେଉଛି ଯାହା ମୋଟର ଯାନ ଆଇନର ଉଲ୍ଲଂଘନ ଅଟେ।
ବିଶେଷ କରି ମୁମ୍ବାଇ ପୁଣେ ଭଳି ବଡ଼ ସହରରେ ଶବ୍ଦ ପ୍ରଦୂଷଣ ଏକ ଗମ୍ଭୀର ସମସ୍ୟା ପାଲଟିଛି। ତେଣୁ ହସ୍ପିଟାଲ, ସ୍କୁଲ ଏବଂ ଜନଗହଳି ଅଞ୍ଚଳରେ ଶବ୍ଦ ନିୟନ୍ତ୍ରଣ କରିବା ପାଇଁ ସରକାର ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ଗାଡ଼ି ମାଲିକ ମହାରାଷ୍ଟ୍ରରେ ନିଜ ଗାଡ଼ି ପଛରେ ଏହା ଲେଖନ୍ତି ତେବେ ତାଙ୍କୁ ଜରିମାନା ଗଣିବାକୁ ପଡିବ। ଗୋଟିଏ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ତିଆରି ହୋଇଥିବା ଏକ ସତର୍କ ସୂଚନା ଆଜି ଶବ୍ଦ ପ୍ରଦୂଷଣ କାରଣରୁ ନିଜର ଅସ୍ତିତ୍ୱ ହରାଉଛି।