ଇଲେକ୍ଟ୍ରିକ୍ କାର୍ କିଣିବା ହେଲା ଆହୁରି ଶସ୍ତା: ଭଡ଼ାରେ ମିଳୁଛି ବ୍ୟାଟେରୀ, କିଲୋମିଟର ହିସାବରେ ଦେବାକୁ ପଡିବ ଟଙ୍କା
ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। କିନ୍ତୁ ଅଧିକ ଦାମ୍ ଯୋଗୁଁ ଅନେକ ସାଧାରଣ ଗ୍ରାହକ ଏହାକୁ କିଣିବାକୁ ପଛଘୁଞ୍ଚା ଦେଉଥିଲେ। ଏବେ ଏହି ସମସ୍ୟାର ସମାଧାନ ପାଇଁ ବଜାରକୁ ଏକ ନୂଆ ବିକଳ୍ପ ଆସିଛି। କାର୍ କମ୍ପାନୀଗୁଡ଼ିକ ଏବେ ବ୍ୟାଟେରୀ ଆଜ୍ ଏ ସର୍ଭିସ୍ ବା ବିଏଏଏସ ସୁବିଧା ଆରମ୍ଭ କରିଛନ୍ତି। ଏହାଦ୍ୱାରା ଏକ ନୂଆ ଇଲେକ୍ଟ୍ରିକ୍ କାର୍ କିଣିବା ପୂର୍ବ ଅପେକ୍ଷା ବହୁତ ଶସ୍ତା ହୋଇଯାଇଛି।
ଏହି ନୂଆ ବ୍ୟବସ୍ଥା ଅଧୀନରେ ଗ୍ରାହକମାନଙ୍କୁ କାର୍ କିଣିବା ବେଳେ ବ୍ୟାଟେରୀ ପାଇଁ ଏକକାଳୀନ ମୋଟା ଅଙ୍କର ଟଙ୍କା ଦେବାକୁ ପଡିବ ନାହିଁ। କେବଳ ଗାଡ଼ିର ମୂଲ୍ୟ ଦେଇ ଆପଣ ଏହାକୁ ନିଜର କରିପାରିବେ। ବ୍ୟାଟେରୀ ପାଇଁ ଆପଣଙ୍କୁ କିଲୋମିଟର ହିସାବରେ ଭଡ଼ା ଦେବାକୁ ପଡିବ। ଅର୍ଥାତ୍ ଆପଣ ଯେତିକି ବାଟ ଗାଡ଼ି ଚଲାଇବେ କେବଳ ସେତିକି ରାସ୍ତା ପାଇଁ ବ୍ୟାଟେରୀର ଦେୟ ଦେବେ। ଏହା ଫଳରେ ଗାଡ଼ିର ପ୍ରାରମ୍ଭିକ ମୂଲ୍ୟ ବହୁ ମାତ୍ରାରେ ହ୍ରାସ ପାଉଛି।
ଭାରତୀୟ ବଜାରରେ ଏମଜି ମୋଟର ପକ୍ଷରୁ ପ୍ରଥମେ ଏହି ଆକର୍ଷଣୀୟ ଯୋଜନା ଆରମ୍ଭ କରାଯାଇଛି। କମ୍ପାନୀ ନିଜର ଲୋକପ୍ରିୟ ଇଲେକ୍ଟ୍ରିକ୍ କାର୍ ୱିଣ୍ଡସର ଇଭି କୋମେଟ୍ ଇଭି ଏବଂ ଜେଡଏସ ଇଭି ପାଇଁ ଏହି ବ୍ୟାଟେରୀ ରେଣ୍ଟାଲ୍ ସୁବିଧା ଯୋଗାଇ ଦେଉଛି। ହିସାବ ଅନୁଯାୟୀ କୋମେଟ୍ ଇଭି ପାଇଁ ପ୍ରତି କିଲୋମିଟର ପିଛା ପ୍ରାୟ ଅଢେଇ ଟଙ୍କା ଏବଂ ୱିଣ୍ଡସର ପାଇଁ ସାଢେ ତିନି ଟଙ୍କା ଭଡ଼ା ଲାଗୁଛି। ଏହି ବ୍ୟବସ୍ଥା ଆସିବା ପରେ ଟାଟା ଟିଆଗୋ ଭଳି ବଜେଟ୍ ଇଲେକ୍ଟ୍ରିକ୍ କାର୍ ଗୁଡିକୁ କଡା ଟକ୍କର ମିଳୁଛି।
ଏହି ଅଭିନବ ଯୋଜନା ଫଳରେ ଇଲେକ୍ଟ୍ରିକ୍ କାରଗୁଡ଼ିକର ଦାମ୍ ଏବେ ସାଧାରଣ ପେଟ୍ରୋଲ କିମ୍ବା ଡିଜେଲ ଗାଡ଼ି ସହିତ ପାଖାପାଖି ସମାନ ହୋଇଗଲାଣି। ଏହାସହ ବ୍ୟାଟେରୀ ଖରାପ ହେଲେ ତାକୁ ବଦଳାଇବାର ବଡ଼ ଖର୍ଚ୍ଚ ଚିନ୍ତାରୁ ମଧ୍ୟ ଗ୍ରାହକ ମୁକ୍ତି ପାଇପାରୁଛନ୍ତି। ଆଗାମୀ ଦିନରେ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ନିଜ ଗାଡ଼ିରେ ଏହି ଭଡ଼ା ସୂତ୍ର ଲାଗୁ କଲେ ଦେଶରେ ଇଭି ବିକ୍ରି ଏକ ନୂଆ ରେକର୍ଡ ସୃଷ୍ଟି କରିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।