ଭତ୍ତା ବଣ୍ଟନରେ ବିଭ୍ରାଟକୁ ନେଇ ବଢୁଛି ରାଜନୀତି: ସରକାରଙ୍କୁ ଟାର୍ଗେଟ କଲା ବିଜେଡି, ସଫ୍ଟୱେର ଅପଡେଟ୍ କାରଣ ଦର୍ଶାଇଲା ବିଜେପି
ଭୁବନେଶ୍ୱର: ରାଜ୍ୟରେ ବାର୍ଦ୍ଧକ୍ୟ ବିଧବା ଓ ଭିନ୍ନକ୍ଷମ ଭତ୍ତା ବଣ୍ଟନରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ଏବେ ରାଜନୀତି ଜୋର ଧରିଛି। ମାସ ମାସ ଧରି ହିତାଧିକାରୀ ଭତ୍ତା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିରୋଧୀ ବିଜୁ ଜନତା ଦଳ। ଅନ୍ୟପଟେ ଶାସକ ବିଜେପି ପକ୍ଷରୁ ସଫ୍ଟୱେର ଅପଡେଟ୍ ଯୋଗୁଁ ଏଭଳି ବିଳମ୍ବ ହେଉଥିବା ସଫେଇ ଦିଆଯାଇଛି।
ଭତ୍ତା ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ଦେଉଥିବା ମନ୍ତବ୍ୟ ସତ୍ୟ ନୁହେଁ କିମ୍ବା ତଥ୍ୟ ଉପରେ ଆଧାରିତ ନୁହେଁ ବୋଲି ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା ଅଭିଯୋଗ କରିଛନ୍ତି। ଗତ ଚାରି ମାସ ହେଲା ଭତ୍ତା ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି ଏବଂ ଏହା ସମ୍ପୂର୍ଣ୍ଣ ରୂପେ ଏକ ପ୍ରଶାସନିକ ତ୍ରୁଟି। ମନ୍ତ୍ରୀମାନେ କେବଳ ଅଧିକାରୀଙ୍କ ରିପୋର୍ଟ ଉପରେ ନିର୍ଭର ନକରି ପଞ୍ଚାୟତ ସ୍ତରକୁ ଯାଇ ତଦାରଖ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ଆର୍ଥିକ ପରିଚାଳନାରେ ବ୍ୟତିକ୍ରମ ଏବଂ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ପ୍ରକୃତ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷ ରଖିଛନ୍ତି। ସେ କହିଛନ୍ତି ଯେ ନୂଆ ସଫ୍ଟୱେର କାରଣରୁ ଗତ ଦୁଇ ମାସ ଧରି ଭତ୍ତା ପ୍ରଦାନରେ ସାମାନ୍ୟ ବ୍ୟତିକ୍ରମ ଦେଖାଯାଇଛି। ଯେଉଁମାନେ ନଗଦ ଆକାରରେ ହାତକୁ ଭତ୍ତା ପାଉଥିଲେ ସେମାନଙ୍କର କୌଣସି ସମସ୍ୟା ହୋଇନାହିଁ। କିନ୍ତୁ ଯେଉଁମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ଯାଉଛି ସେମାନେ କେବଳ ସାମୟିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ଏକ ନୂଆ ସଫ୍ଟୱେର ଡେଭଲପ୍ କାମ ଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ହିତାଧିକାରୀଙ୍କୁ ଠିକ୍ ସମୟରେ ଭତ୍ତା ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି। ଆସନ୍ତା ପନ୍ଦର ଦିନ ଭିତରେ ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇଯିବ ବୋଲି ମନମୋହନ ସାମଲ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ଯେଉଁମାନେ ଏଯାଏଁ ଭତ୍ତା ପାଇନାହାନ୍ତି ସେମାନଙ୍କୁ ଏକକାଳୀନ ସବୁ ବକେୟା ଟଙ୍କା ପ୍ରଦାନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।