ଭୁବନେଶ୍ୱର: ଯଦି ଆପଣ ରାଜ୍ୟ ଭିତରେ କମ୍ ଖର୍ଚ୍ଚରେ ଏକ ଭଲ ଘର କିଣିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର ରହିଛି। ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ବା ଓଏସଏଚବି ଏବେ ସୁଲଭ ଆବାସ ଯୋଜନାକୁ ବ୍ୟାପକ କରିବାକୁ ଯାଉଛି। କେବଳ ରାଜଧାନୀ ନୁହେଁ ବରଂ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଲୋକଙ୍କୁ ସୁଲଭ ମୂଲ୍ୟରେ ବାସଗୃହ ଯୋଗାଇଦେବା ପାଇଁ ସରକାର ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଛନ୍ତି। ଗରିବ ଏବଂ ମଧ୍ୟବିତ୍ତ ପରିବାରର ଘର କିଣିବା ସ୍ୱପ୍ନକୁ ସାକାର କରିବା ପାଇଁ ଏହି ବଡ଼ ପଦକ୍ଷେପ ନିଆଯାଇଛି।
ଏହି ଯୋଜନାକୁ କିପରି ସଫଳତାର ସହ କାର୍ଯ୍ୟକାରୀ କରାଯିବ ସେନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଗଙ୍ଗାଧର ନାୟକ ସୂଚନା ଦେଇଛନ୍ତି ଯେ ଏଯାବତ ୨୧ଟି ଜିଲ୍ଲାରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ପ୍ରାୟ ୩୨ ହଜାରରୁ ଅଧିକ ଘର ଓ ପ୍ଲଟ ନିର୍ମାଣ କରାଯାଇଛି। କେବଳ ଖୋର୍ଦ୍ଧା ଜିଲ୍ଲାରେ ୨୦ ହଜାରରୁ ଅଧିକ ବାସଗୃହ ତିଆରି ହୋଇଛି।
ବର୍ତ୍ତମାନ ସମୟରେ ବୋର୍ଡ ପକ୍ଷରୁ ୫ଟି ପ୍ରମୁଖ ପ୍ରକଳ୍ପର କାମ ଜୋରସୋରରେ ଆଗେଇ ଚାଲିଛି। ଏଥିପାଇଁ ୫୧୭ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ଏହା ଅଧୀନରେ ୧୪୮୪ ଟି ଘର ତିଆରି ହେବ। ଭୁବନେଶ୍ୱର ଜାଗମରା ସ୍ଥିତ ଖାରବେଳ ଏନକ୍ଲେଭରେ ୧୦୪ଟି ଉଚ୍ଚ ଆୟ ବର୍ଗ ଆପାର୍ଟମେଣ୍ଟ ମଧ୍ୟରୁ ୩୦ଟି ହିତାଧିକାରୀଙ୍କୁ ହସ୍ତାନ୍ତର କରାଗଲାଣି। ସେହିପରି ଅନୁଗୋଳ ଏନକ୍ଲେଭ ଡୁମଡୁମାର ସୁଭଦ୍ରା ଏନକ୍ଲେଭ ଅନ୍ଧାରୁଆର ବାସୁଦେବ ବିହାର ଏବଂ ଗାଡ଼କଣରେ ମଧ୍ୟ ବିଭିନ୍ନ ଆବାସିକ ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟରେ ଚାଲୁ ରହିଛି।
ସବୁଠାରୁ ବଡ଼ କଥା ହେଉଛି ଓଏସଏଚବି ଏବେ ଏକ ସମ୍ପୂର୍ଣ୍ଣ ଋଣମୁକ୍ତ ସଂସ୍ଥାରେ ପରିଣତ ହୋଇଛି। ଗତ ଆର୍ଥିକ ବର୍ଷଗୁଡ଼ିକରେ ବୋର୍ଡ ଭଲ ରାଜସ୍ୱ ଆଦାୟ କରିଥିବା ବେଳେ ବର୍ତ୍ତମାନ ଏହା ପାଖରେ ୩୭ କୋଟି ଟଙ୍କାରୁ ଅଧିକ ବଳକା ପାଣ୍ଠି ମହଜୁଦ ଅଛି। ଏହାକୁ ଆଧାର କରି ଆଗାମୀ ବର୍ଷ ପାଇଁ ୪ଟି ନୂଆ ବୃହତ ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପ୍ରକଳ୍ପ ଜରିଆରେ ରାଜ୍ୟରେ ଆହୁରି ୬୮୭୭ଟି ନୂଆ ଘର ନିର୍ମାଣ କରାଯିବ। ଭୁବନେଶ୍ୱର ଏମ୍ସ ନିକଟ ସୁଆଙ୍ଗୋ ରଣସିଂହପୁର ପାତ୍ରପଡ଼ା ଏବଂ ରାଉରକେଲାର ବାସନ୍ତୀ କଲୋନୀରେ ଏହି ସବୁ ନୂତନ ବାସଗୃହ ତିଆରି ହେବାର ଯୋଜନା ରହିଛି।
ସମସ୍ତ ଜିଲ୍ଲାକୁ ଏହି ଆବାସ ଯୋଜନା ସମ୍ପ୍ରସାରଣ କରିବା ପାଇଁ ତୁରନ୍ତ ଉପଯୁକ୍ତ ସରକାରୀ ଜମି ଚିହ୍ନଟ କରିବାକୁ ଉଷା ପାଢ଼ୀ ବୋର୍ଡକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ଏବଂ ସ୍ୱଳ୍ପ ଆୟ କରୁଥିବା ସହରାଞ୍ଚଳ ପରିବାରଗୁଡ଼ିକୁ କିପରି ସୁଲଭ ମୂଲ୍ୟରେ ଘର ମିଳିପାରିବ ତାହା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଓରେରା ନିୟମକୁ କଡ଼ାକଡ଼ି ପାଳନ କରିବା ସହ ସ୍ୱଚ୍ଛତାର ସହ ଘର ଆବଣ୍ଟନ ପ୍ରକ୍ରିୟା ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।