Latest Odisha News

BREAKING NEWS

ଦେହଜୀବୀଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ପୋଲିସ ଜୋର ଜବରଦସ୍ତ ଥଇଥାନ କରିପାରିବ ନାହିଁ

ନୂଆଦିଲ୍ଲୀ: ଦେହଜୀବୀମାନଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ନିଜ ଇଚ୍ଛାରେ ଏହି ପେଶା ଆପଣାଇଥିବା ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ପୋଲିସ କୌଣସି ପ୍ରକାର ହସ୍ତକ୍ଷେପ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। ସମ୍ବିଧାନର ଧାରା ୨୧ ଅନୁଯାୟୀ ଦେଶର ପ୍ରତ୍ୟେକ ନାଗରିକଙ୍କର ସମ୍ମାନର ସହ ବଞ୍ଚିବାର ମୌଳିକ ଅଧିକାର ରହିଛି ବୋଲି କୋର୍ଟ ଦର୍ଶାଇଛନ୍ତି।

 

ଅନେକ ସମୟରେ ପୋଲିସ ଚଢ଼ାଉ ବେଳେ ଦେହଜୀବୀମାନଙ୍କୁ ଧରି ନେଇ ଜୋର ଜବରଦସ୍ତ ଥଇଥାନ କେନ୍ଦ୍ରକୁ ପଠାଇଦିଆଯାଉଥିବା ନଜିର ରହିଛି। ଏହା ଉପରେ ରୋକ ଲଗାଇବାକୁ ଯାଇ କୋର୍ଟ କହିଛନ୍ତି ଯେ ସମ୍ପୃକ୍ତ ମହିଳା ଯଦି ନିଜ ସମ୍ମତିରେ ଏହି କାମ କରୁଛନ୍ତି ତେବେ ତାଙ୍କୁ ବଳପୂର୍ବକ କୌଣସି ସୁଧାର ଗୃହ ବା ଥଇଥାନ କେନ୍ଦ୍ରରେ ରଖାଯାଇପାରିବ ନାହିଁ। ପୋଲିସ ପ୍ରଶାସନ ସେମାନଙ୍କ ସହ ଅପରାଧୀଙ୍କ ଭଳି ଆଚରଣ କରିପାରିବ ନାହିଁ ବୋଲି ତାଗିଦ କରାଯାଇଛି।

 

ଦେଶର ଆଇନ ଅନୁଯାୟୀ ବେଶ୍ୟାଳୟ ଚଳାଇବା ଏବଂ ମାନବ ଚାଲାଣ କରିବା ଏକ ଗୁରୁତର ଦଣ୍ଡନୀୟ ଅପରାଧ ଅଟେ। ସେହିଭଳି ନାବାଳିକାମାନଙ୍କୁ ଏହି ବୃତ୍ତିରେ ସାମିଲ କରିବା ମଧ୍ୟ ସମ୍ପୂର୍ଣ୍ଣ ବେଆଇନ। କିନ୍ତୁ କୌଣସି ପ୍ରାପ୍ତବୟସ୍କ ମହିଳା ନିଜ ଇଚ୍ଛାରେ ଦେହ ବ୍ୟବସାୟ କରୁଥିଲେ ତାହା ଅପରାଧ ନୁହେଁ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ତେଣୁ ନିଜ ସମ୍ମତିରେ ଏହି ବୃତ୍ତିରେ ଥିବା ମହିଳାମାନଙ୍କୁ ପୋଲିସ ଅଯଥାରେ ହଇରାଣ ନକରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

 

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ଦେହଜୀବୀମାନଙ୍କୁ ସମାଜରେ ଆବଶ୍ୟକୀୟ ସୁରକ୍ଷା ଓ ସମ୍ମାନ ପ୍ରଦାନ କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଯଦି କୌଣସି ଦେହଜୀବୀ ଯୌନ ନିର୍ଯାତନାର ଶିକାର ହୁଅନ୍ତି ତେବେ ପୋଲିସ ତୁରନ୍ତ ତାଙ୍କୁ ଡାକ୍ତରୀ ସହାୟତା ଏବଂ ଆଇନଗତ ସୁରକ୍ଷା ଯୋଗାଇଦେବା ଉଚିତ। ଏହି ବର୍ଗର ଲୋକଙ୍କ ପ୍ରତି ପୋଲିସ ଏବଂ ସାଧାରଣ ପ୍ରଶାସନ ନିଜର ଦୃଷ୍ଟିକୋଣରେ ବ୍ୟାପକ ସକାରାତ୍ମକ ପରିବର୍ତ୍ତନ ଆଣିବା ନିତ୍ୟାନ୍ତ ଜରୁରୀ ବୋଲି କୋର୍ଟ ବିଚାର ବେଳେ ଜୋର ଦେଇଛନ୍ତି।

Leave A Reply

Your email address will not be published.