Latest Odisha News

BREAKING NEWS

ଡ୍ରୋନ୍‌ ଶିକାରୀ ‘ୟୋଲକା’: ରୁଷର ନୂଆ ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ: ଆଧୁନିକ ଯୁଦ୍ଧକ୍ଷେତ୍ରରେ ଏବେ ‘ଡ୍ରୋନ୍’ ସବୁଠାରୁ ବଡ଼ ହତିଆର ପାଲଟିଛି । ଶତ୍ରୁପକ୍ଷର ଏହି ଡ୍ରୋନ୍‌ ଆକ୍ରମଣକୁ ରୋକିବା ପାଇଁ ରୁଷ ଏବେ ମଇଦାନକୁ ଓହ୍ଲାଇଛି ଏକ ସୁପରୱେପନ ବା ମହାଅସ୍ତ୍ର । ଯାହାର ନାଁ ହେଉଛି ‘ୟୋଲକା’ (Yolka) । ରୁଷ ସେନାର ଏହି ନୂଆ ଆଣ୍ଟି-ଡ୍ରୋନ୍ ସିଷ୍ଟମ ଏବେ ଶତ୍ରୁପକ୍ଷର ଡ୍ରୋନ୍ ପାଇଁ ସବୁଠାରୁ ବଡ଼ କାଳ ସାଜିଛି । କେବଳ ଏକ ପିସ୍ତଲ୍ ସାହାଯ୍ୟରେ ଏବେ ଆକାଶରେ ହିଁ ଖତମ୍ ହେବେ ଶତ୍ରୁର ସ୍ପାଏ ଏବଂ ଆଟାକ୍ ଡ୍ରୋନ୍ ।

ରୁଷ ସେନା ଯୁଦ୍ଧକ୍ଷେତ୍ରରେ ଏଭଳି ଏକ ହାତରେ ଚାଲୁଥିବା ଆଣ୍ଟି-ଡ୍ରୋନ୍ ପ୍ରଣାଳୀ ମୁତୟନ କରିଛି, ଯାହା ଶତ୍ରୁର ଡ୍ରୋନ୍‌କୁ ଚିହ୍ନଟ କରି ତା’ର ପିଛା କରିବ ଏବଂ ନଷ୍ଟ କରିଦେବ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ସୈନିକ ଏକ ଛୋଟ ପିସ୍ତଲ୍ ଭଳି ଡିଭାଇସ୍‌ରୁ ଏକ ‘ଇଣ୍ଟରସେପ୍ଟର ଡ୍ରୋନ୍’ (Interceptor Drone) ଆକାଶକୁ ଛାଡୁଛନ୍ତି, ଯାହା ସେକେଣ୍ଡ ମଧ୍ୟରେ ଶତ୍ରୁର ଡ୍ରୋନ୍‌କୁ ଟାର୍ଗେଟ୍ କରୁଛି।

କେମିତି କାମ କରେ ରୁଷର ‘ୟୋଲକା’ ?
ଏହି ପ୍ରଣାଳୀରେ ଥିବା ଛୋଟ ଇଣ୍ଟରସେପ୍ଟର ଡ୍ରୋନ୍ ଲଞ୍ଚ ହେବା ମାତ୍ରେ ଏଥିରେ ଲାଗିଥିବା କ୍ୟାମେରା, ସେନ୍ସର ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ ଶତ୍ରୁ ଡ୍ରୋନ୍‌କୁ ଆପେ ଆପେ ଚିହ୍ନଟ କରିଥାଏ।
ଏହା ଶତ୍ରୁ ଡ୍ରୋନ୍‌ ପଛରେ ଦ୍ରୁତ ଗତିରେ ଗୋଡ଼ାଇ ପ୍ରବଳ ବେଗରେ ତା’ ସହ ଧକ୍କା ହୋଇଥାଏ।
ସବୁଠାରୁ ବଡ଼ କଥା ହେଉଛି, ଏହି ‘ୟୋଲକା’ ଡ୍ରୋନ୍‌ରେ କୌଣସି ବିସ୍ଫୋରକ ବ୍ୟବହାର କରାଯାଏ ନାହିଁ। ଏହା କେବଳ ନିଜ ଗତି ଏବଂ ଶକ୍ତିଶାଳୀ ଧକ୍କା ଦ୍ୱାରା ଶତ୍ରୁ ଡ୍ରୋନ୍‌କୁ ଆକାଶରେ ହିଁ ଭାଙ୍ଗି ଚୂରମାର୍ କରିଦିଏ।

ଏହି ‘ୟୋଲକା’ ଆଣ୍ଟି-ଡ୍ରୋନ୍ ଅସ୍ତ୍ର କେବଳ ପ୍ରଭାବଶାଳୀ ନୁହେଁ, ବରଂ ଏହାର କିଛି ଖାସ୍ ବୈଶିଷ୍ଟ୍ୟ ଏହାକୁ ଅଧିକ ବିପଦଜନକ କରିଥାଏ:
ଏହା ପ୍ରାୟ ୩ କିଲୋମିଟର ଦୂରରେ ଥିବା ଶତ୍ରୁ ଡ୍ରୋନ୍‌କୁ ସହଜରେ ଶିକାର କରିପାରେ।
ଆକାଶରେ ଏହାର ଗତି ଘଣ୍ଟା ପ୍ରତି ୨୦୦ ରୁ ୨୫୦ କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ।
ଏହାର ସ୍ୱତନ୍ତ୍ର ଡିଜାଇନ୍, ଛୋଟ ମୋଟର ଏବଂ ପ୍ରୋପେଲର ଏହାକୁ ଉଡ଼ାଣ ସମୟରେ ଅଦ୍ଭୁତ ସ୍ଥିରତା ଦେଇଥାଏ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର ନିର୍ମାଣ ଖର୍ଚ୍ଚ ବହୁତ କମ୍। ତେଣୁ ରୁଷ ସେନା ଏହାକୁ ବଡ଼ ଆକାରରେ ଯୁଦ୍ଧକ୍ଷେତ୍ରରେ ବ୍ୟବହାର କରୁଛି। ବିଶେଷ କରି ଲୁଚି ରହି ନଜର ରଖୁଥିବା ସ୍ପାଏ ଡ୍ରୋନ୍ ଏବଂ FPV ଆଟାକ୍ ଡ୍ରୋନ୍‌କୁ ରୋକିବା ପାଇଁ ଏହାକୁ ତିଆରି କରାଯାଇଛି।

ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ରୁଷର ଏହି ନୂଆ ‘ୟୋଲକା’ ଟେକ୍ନୋଲୋଜି ଆଗାମୀ ଦିନରେ ବିଶ୍ୱର ଆଣ୍ଟି-ଡ୍ରୋନ୍ ରଣନୀତିକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ଭବିଷ୍ୟତ ଯୁଦ୍ଧରେ ଏହା ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବାକୁ ଯାଉଛି।

Leave A Reply

Your email address will not be published.