ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ବା ରିସେସନ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ଼ ଅର୍ଥନୀତି କୁହାଯାଉଥିବା ଚୀନ୍ ମଧ୍ୟ ଏବେ ଏହି ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରୁଛି। କିନ୍ତୁ ଏହି ସଙ୍କଟରୁ ବାହାରିବା ପାଇଁ ଚୀନ୍ ସରକାର ଏବେ ଏଭଳି ଏକ ଉପାୟ ଆପଣେଇଛନ୍ତି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଚୀନ୍ ଏବେ ନିଜ ଦେଶର ନାଗରିକମାନଙ୍କୁ ପ୍ରଚୁର ‘ସରକାରୀ ଛୁଟି’ ବାଣ୍ଟିବା ଆରମ୍ଭ କରିଛି।
ଉତ୍ପାଦନ, ବିନିଯୋଗ ଏବଂ ଗ୍ରାହକଙ୍କ ବ୍ୟୟ କମିଯିବା ଯୋଗୁଁ ଚୀନ୍ର ଆର୍ଥିକ ଗତି ମନ୍ଥର ହୋଇଯାଇଛି। ଏହାକୁ ସୁଧାରିବା ପାଇଁ ଚୀନ୍ ସରକାର ଲୋକଙ୍କୁ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଚୀନ୍ ସରକାରଙ୍କ ବିଶ୍ୱାସ ଯେ, ଦୀର୍ଘ ସମୟ ଧରି କାମ କରିବା ଏବଂ କାର୍ଯ୍ୟଭାର ବଢ଼ିବା ଯୋଗୁଁ ଲୋକମାନେ ଆୟ କରୁଥିଲେ ମଧ୍ୟ ତାକୁ ଖର୍ଚ୍ଚ କରିବାକୁ ସମୟ ପାଉନାହାନ୍ତି। ଏହାର ସିଧାସଳଖ ପ୍ରଭାବ ଦେଶର ଘରୋଇ ବଜାର ଉପରେ ପଡୁଛି। ସେଥିପାଇଁ ସରକାର ଏବେ ସରକାରୀ ଛୁଟି ସଂଖ୍ୟା ବଢ଼ାଇ ଦେଇଛନ୍ତି।
ଛୁଟି ବଢ଼ିଲା, ଖର୍ଚ୍ଚ ବି ବଢ଼ିଲା ! ଅର୍ଥନୀତିକୁ ବୁଷ୍ଟ୍ କରିବା ପାଇଁ ଚୀନ୍ ସରକାର ନୂଆ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି । ପୂର୍ବରୁ ମେ’ ଦିବସ ପାଇଁ ମିଳୁଥିବା ୩ ଦିନର ଛୁଟିକୁ ବଢ଼ାଇ ଏବେ ୫ ଦିନ କରିଦିଆଯାଇଛି। ଏହା ସହିତ ନୂତନ ବର୍ଷ ଏବଂ ଅନ୍ୟାନ୍ୟ ପ୍ରମୁଖ ପାରମ୍ପରିକ ପର୍ବଗୁଡ଼ିକର ଛୁଟି ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ସରକାରଙ୍କ ଲକ୍ଷ୍ୟ ହେଉଛି ଲୋକମାନେ ଛୁଟିରେ ବାହାରକୁ ଯାତ୍ରା କରନ୍ତୁ, ହୋଟେଲ୍-ରେଷ୍ଟୁରାଣ୍ଟରେ ଖାଆନ୍ତୁ, ମନୋରଞ୍ଜନ ଏବଂ ପର୍ଯ୍ୟଟନ ଉପରେ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ କରନ୍ତୁ, ଯାହା ଦ୍ୱାରା ବଜାରକୁ ଟଙ୍କା ଫେରିଆସିବ।
ସରକାରଙ୍କ ଏହି ନିଷ୍ପତ୍ତି ପରେ ଚୀନ୍ରେ ପର୍ଯ୍ୟଟନ ଶିଳ୍ପକୁ ବଡ଼ ଫାଇଦା ମିଳିଛି। ରେଳଯାତ୍ରୀଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଛି। କିନ୍ତୁ, ସମସ୍ତଙ୍କୁ ଏକାସଙ୍ଗେ ଛୁଟି ମିଳିଯିବା ଯୋଗୁଁ ଏବେ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି। ଚୀନ୍ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ପରିବହନ ବ୍ୟବସ୍ଥା ଏବଂ ହୋଟେଲଗୁଡ଼ିକ ଉପରେ ଅତ୍ୟଧିକ ଚାପ ପଡ଼ିବାରୁ ଅନେକ ପର୍ଯ୍ୟଟକ ହଇରାଣ ହୋଇଛନ୍ତି।
ଏହି ସମସ୍ୟାର ସମାଧାନ ପାଇଁ ଚୀନ୍ ସରକାର ଏବେ ଭିନ୍ନ ଭିନ୍ନ ସେକ୍ଟର ବା ଅଞ୍ଚଳ ପାଇଁ ଅଲଗା ଅଲଗା ସମୟରେ ଛୁଟି ଦେବା ଏବଂ କର୍ମଚାରୀମାନଙ୍କୁ ପର୍ଯ୍ୟାୟକ୍ରମେ Paid Leaves ବା ଦରମା ସହିତ ଛୁଟି ପ୍ରଦାନ କରିବା ଭଳି ବିକଳ୍ପ ଉପରେ ବିଚାର କରୁଛନ୍ତି।
ମୋଟାମୋଟି ଭାବେ କହିବାକୁ ଗଲେ, ଚୀନ୍ ଏବେ ନିଜ ଆର୍ଥିକ ଅଭିବୃଦ୍ଧି ବଢ଼ାଇବା ପାଇଁ ‘ୱାର୍କ ପ୍ରେସର’ ବଦଳରେ ‘ରିଲ୍ଲାକ୍ସେସନ୍’ ବା ଛୁଟିର ସାହାରା ନେଇଛି। ଏହି ଅଭିନବ ପ୍ରୟାସ ଚୀନ୍ ଅର୍ଥନୀତିକୁ କେତେ ସଞ୍ଜୀବନୀ ଦେଉଛି, ତାହା ଆଗାମୀ ଦିନରେ ଜଣାପଡ଼ିବ।