ୱାଶିଂଟନ: ଭାରତ ଓ ଆମେରିକା ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତିକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜର “ଭଲ ବନ୍ଧୁ” ବୋଲି ବର୍ଣ୍ଣନା କରି ଟ୍ରମ୍ପ କହିଛନ୍ତି ଯେ ଭାରତ ଓ ଆମେରିକା ମଧ୍ୟରେ ଖୁବଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ ହେବ।
ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଏମିତି ସମୟରେ ଆସିଛି, ଯେତେବେଳେ ଆମେରିକା ପକ୍ଷରୁ ଭାରତ ସମେତ ଅନେକ ଦେଶ ଉପରେ ଅତିରିକ୍ତ ୧୨.୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପ୍ରସ୍ତାବ ଆସିଛି। ଏହା ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ସକାରାତ୍ମକ ଦିଗରେ ଅଗ୍ରସର ହେଉଥିବା କଥା ଟ୍ରମ୍ପ କହିଛନ୍ତି।
ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଭାରତ ସହ ଆମେରିକାର ସମ୍ପର୍କ ଦୃଢ଼ ରହିଛି ଏବଂ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସହଯୋଗକୁ ଆହୁରି ବିସ୍ତାର କରିବା ପାଇଁ ଉଦ୍ୟମ ଚାଲିଛି। ସେ ଦାବି କରିଛନ୍ତି ଯେ ପୂର୍ବରୁ ଭାରତ ଆମେରିକୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଉଥିଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିଛି ଏବଂ ଦୁଇ ଦେଶ ପରସ୍ପର ଲାଭଦାୟକ ବ୍ୟବସ୍ଥା ଦିଗରେ ଆଗକୁ ବଢ଼ୁଛନ୍ତି।
ଏପଟେ ଭାରତ ଓ ଆମେରିକାର ବାଣିଜ୍ୟ ପ୍ରତିନିଧିମାନଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଚାଲିଥିବା ଆଲୋଚନାକୁ ଉଭୟ ପକ୍ଷ ‘ସକାରାତ୍ମକ’ ଓ ‘ରଚନାତ୍ମକ’ ବୋଲି କହିଛନ୍ତି। ବାଣିଜ୍ୟ ଚୁକ୍ତିର ଅଧିକାଂଶ ଅଂଶ ଚୂଡ଼ାନ୍ତ ହୋଇସାରିଥିବା ବେଳେ କିଛି ପ୍ରସଙ୍ଗରେ ଆଲୋଚନା ଜାରି ରହିଛି।
ଉଭୟ ଦେଶ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହେଲେ ବାଣିଜ୍ୟ, ନିବେଶ ଓ ଅର୍ଥନୈତିକ ସହଯୋଗ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।