Latest Odisha News

BREAKING NEWS

ସୁରକ୍ଷିତ ହେବ ସୂର୍ଯ୍ୟ ମନ୍ଦିର, ଗର୍ଭଗୃହରୁ ଖୁବଶୀଘ୍ର ବାହାରିବ ବାଲି

ପୁରୀ: କଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ଖୁବଶୀଘ୍ର ବାହାରିବ ବାଲି। ବାଲି କାଢ଼ିବା ପକ୍ରିୟାର ସ୍ଥିତି ଅନୁଧ୍ୟାନ କଲେ ଏଏସଆଇ ଡିଜିଙ୍କ ସମେତ ଏକ୍ସପୋର୍ଟ ଟିମ୍। ଅଟୋମେଟିକ ରୋବଟିକ ଟ୍ରଲି ପ୍ରବେଶ କରି କଢ଼ାଯିବ ବାଲି। ଦୀର୍ଘ ଘଣ୍ଟା ଧରି କଲେ ସମୀକ୍ଷା ବୈଠକ। ୧୨୦ ବର୍ଷ ପରେ ଖୋଲିବ ସୂର୍ଯ୍ୟମନ୍ଦିରର ଗର୍ଭଗୃହର ପ୍ରବେଶ। ଶନିବାର ପୂର୍ବାହ୍ନରେ ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗମୋହନରୁ ବାଲି କଢ଼ାଯିବା ନେଇ ଚାଲିଥିବା ପ୍ରକ୍ରିୟାର ସ୍ଥିତିକୁ ଅନୁଧ୍ୟାନ କରିଥିଲେ ଏଏସଆଇର ଡିଜି ୟଦୁବୀର ସିଂ ରାଓ୍ବତ।

ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟମନ୍ଦିର କୋର କମିଟିର ସଦସ୍ୟ ଇଂ ଅଶୋକ ଦାସ, ଇଂ ଲୋକନାଥ ମହାରଣା, ପ୍ରତ୍ନତତ୍ୱବିତ୍ତ ଡଃ ଜୀବନ ପଟ୍ଟନାୟକ, ଡ଼ଃ ଏନ ସି ପାଲ, ଆଇଆଇଟି ମାଡ୍ରାସର ପ୍ରଫେସର ଅରୁଣ ମେନନ, ଆଇଆଇଟି ଦିଲ୍ଲୀ ବୈଜ୍ଞାନିକ ଏକ୍ସପୋର୍ଟ ଟିମ୍, ଏଏସଆଇ ପୁରୀ ସର୍କଲର ସୁପେରିଟେଣ୍ଡେ ମିଲନ କୁମାର ଚାୱେଲେ, ସୁପେରିତ୍ଡେଣ୍ଟ କେମେଷ୍ଟ୍ରି ଏସଏସ ପଣ୍ଡା ସହିତ ଏଏସଆଇ ପୁରୀ ସର୍କଲର ବରିଷ୍ଠ ଟେକି ନିକାଲ ଇଞ୍ଜିନିୟର ଚିତ୍ତରଞ୍ଜନ ଦାସ ସହିତପୁରୀ ସର୍କଲର ସମସ୍ତେ ଟେକିନିଲକାଲ ଇଞ୍ଜିନିୟର, ସ୍ଥାନୀୟ ଅଧିକାରୀ ତ୍ରିଇଲୋକ ନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏମାନେ ସୂର୍ଯ୍ୟମନ୍ଦିର ଜଗମୋହନର ଉପରି ଭାଗକୁ ଚଢି ପୂର୍ବରୁ ସୂର୍ଯ୍ୟମନ୍ଦିରର ପଶ୍ଚିମ ଦିଗରେ ୮୦ ଫୁଟ ଉଚ୍ଚରେ ପ୍ରଥମ ବେଢ଼ାର କାନ୍ଥରେ ମନ୍ଦିର ଗର୍ଭଗୃହ ମଧ୍ୟକୁ ୬ମିଟର ଚଉଡାରେ ୯ ମିଟର ପର୍ଯ୍ୟନ୍ତ ଜିରୋ ଭାଇବେଟର ଡାଇମଣ୍ଡ କଟର ସାହାଯ୍ୟରେ ୬ଇଞ୍ଚ ଗୋଲେଇର ୮ମିଟର କୋର୍ ଡ୍ରିଲ କରାଯାଇଥିବା ସ୍ଥାନକୁ ବୁଲି ଦେଖିବା ସହ ଏହାର ସ୍ଥିତିକୁ ଟିକିନିଖି ଯାଞ୍ଚ କରିଥିଲେ।

ଅନ୍ୟପଟେ ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବା ପକ୍ରିୟାକୁ ନେଇ ଏଏସଆଇ ଡିଜି କହିଛନ୍ତି ଯେ ସୂର୍ଯ୍ୟମନ୍ଦିର ଗର୍ଭ ଗୃହରୁ ବାଲି କାଢ଼ିବା ସହଜ ନୁହେଁ। ଏଥି ନିମନ୍ତେ ସମୟ ଲାଗିବ। ବୈଷୟିକ ଟିମ ଏଥିପାଇଁ ନିଷ୍ପତ୍ତି ନେଇ କାର୍ଯ୍ୟ କରିବ। ଗର୍ଭଗୃହର ସ୍ଥିତି ସମ୍ପୂର୍ଣ୍ଣ ଠିକ ଅଛି। ବାଲି କାଢ଼ିବାକୁ ନେଇ ରହିଥିବା ସମସ୍ତ ସମସ୍ୟାକୁ ବୈଜ୍ଞାନିକ ଏକ୍ସପୋର୍ଟ ଟିମ୍ ସନ୍ଧାନ କରିସାରିଛନ୍ତି। ତାକୁ ଆଧାର କରି ଧୀରେ ଧୀରେ ଏହି ବାଲି କାଢ଼ିବା ପ୍ରକ୍ରିୟା ଆଗକୁ ବଢିବ ବୋଲି ଏଏସଆଇ ଡିଜି ଶ୍ରୀରାଓ୍ବତ କହିଛନ୍ତି। ଶେଷରେ ଏନେଇ କୋଣାର୍କ ଯାତ୍ରୀନିବସ ସମ୍ମିଳନୀ କକ୍ଷରେ ଏଏସଆଇ ଡିଜି ଶ୍ରୀରାଓ୍ବତଙ୍କ ଅଧକ୍ଷତାରେ ବୈଜ୍ଞାନିକ ଏକ୍ସପୋର୍ଟ ଟିମ୍ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ସମୟ ଧରି ବାଲି କାଢ଼ିବା ପକ୍ରିୟାକୁ ନେଇ ଟିକିନିଖି ତର୍ଜମା କରିଥିଲେ।

ସୂଚନା ଥାଉକି କୋଣାର୍କ ସୂର୍ଯ୍ୟମନ୍ଦିରକୁ ଇଂରେଜମାନେ ଉଦ୍ଧାର କରିବା ପରେ ସୂର୍ଯ୍ୟମନ୍ଦିରର ଜଗମୋହନ ମନ୍ଦିରରୁ ପଥର ଗୋଟେ ପରେ ଗୋଟେ ଖସିବାକୁ ନେଇ ଏହାକୁ ସୁରକ୍ଷିତ ରଖିବା ପାଇଁ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ସେମାନେ ଉପାୟ ନପାଇ ୧୯୦୩ ମସିହାରୁ ୧୯୦୯ ମସିହା ମଧ୍ୟରେ ଜଗମୋହନ ମନ୍ଦିରର ଗର୍ଭଗୃହରେ ସମ୍ପୁର୍ଣ୍ଣ ବାଲି ପୁରାଇ ଦେଇ ଏହାର ସମସ୍ତ ପ୍ରବେଶ ପଥ ଗୁଡିକୁ ବନ୍ଦ କରି ଦେଇଥିଲେ। ୧୩ ଶହ ଶତାବ୍ଦୀର ନିର୍ମିତ ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦୀର୍ଘ ୧୨୦ ବର୍ଷ ପରେ ପୁଣି ଖୋଲା ହେବା ପାଇଁ ହାଇକୋର୍ଟ ଦ୍ୱାରା ନିଯୁକ୍ତ ଆମିକ୍ସକ୍ୟୁରି ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ସମସ୍ତ ତଥ୍ୟ ସଂଗ୍ରହ କରି ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢା ଗଲେ କୌଣସି ପ୍ରକାର ବିପଦ ନଥିବା ପରାମର୍ଶ ଦେଇଥିଲେ। ଏହାପରେ କେନ୍ଦ୍ର ପାର୍ଲିଆମେଣ୍ଟ କମିଟିର ପରାମର୍ଶ କ୍ରମେ ଏଏସଆଇ ପକ୍ଷରୁ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ଖୋଲାଯିବା ନିମନ୍ତେ ଐତିହାସିକ ନିଷ୍ପତି ଏଏସଆଇ ପକ୍ଷରୁ ନିଆଯାଇ ଗତ ୨୦୨୨ ମସିହା ସେପ୍ଟେମ୍ବର ୮ ତାରିଖରେ ଏଏସଆଇ ଓ ବି.ଡି ଆର ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି ଶୁଭ ଦେଇ ଗତ ୨୦୨୩ ଜାନୁୟାରୀ ୩ତାରିଖରୁ ବାଲି କଢା କାର୍ଯ୍ୟ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିଥିଲା। ମାତ୍ର କୌଣସି କାରଣକୁ ନେଇ ଏଏସଆଇ ପକ୍ଷରୁ ଏହି ବାଲି କଢା ପ୍ରସ୍ତୁତି କାର୍ଯ୍ୟ ଦୀର୍ଘ ଦିନ ପାଇଁ ବନ୍ଦ ରଖାଯାଇଥିଲା।

ଏଏସଆଇ ପକ୍ଷରୁ ନିଯୁକ୍ତ ଠିକାଦାର ବିଡ଼ିଆର ଦ୍ୱାରା ପୁଣି ୫ମାସ ପରେ ପୁନର୍ବାର ଯୋଜନା ମୁତାବକ କ୍ରେନ ସାହାଯ୍ୟରେ ବଡ଼ ବଡ଼ ଲୁହା ବିମ ସବୁ ଲଗାଯାଇ କାର୍ଯ୍ୟ ଆରମ୍ଭ କରାଯାଇ ସୂର୍ଯ୍ୟମନ୍ଦିର ର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ ଲଗାଯାଇଥିଲା। ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ାର ଗର୍ଭଗୃହରେ ରହିଥିବା ୧୨୦ ବର୍ଷର ଏହି ବାଲି ଗୁଡିକୁ ପର୍ଯ୍ୟାୟ କ୍ରମେ ସ୍ବତନ୍ତ୍ର ଅଟୋମେଟିକ ରୋବଟିକ ଟ୍ରଲି ଗର୍ଭ ଗୃହର ଟନେଲରେ ପ୍ରବେଶ କରି ବାଲି କଢାଯାଇ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ଏହି ବାଲି ଗୁଡିକୁ ବାହାର କରାଯାଇ ପାଦଦେଶରୁ ପାଇପ ସାହାଯ୍ୟରେ ବାଲି ଗୁଡିକ ସ୍ୱତନ୍ତ୍ର ରାସ୍ତା ଦେଇ ଉତ୍ତର ପଶ୍ଚିମ କୋଣରେ ଏହାକୁ ସୁରକ୍ଷିତ ଭାବେ ରଖାଯିବ। ବାଲି ନିଷ୍କାସନ କାର୍ଯ୍ୟ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ବାର ପ୍ରବେଶ ପାଇଁ ସବୁଦିନ ପାଇଁ ଖୋଲିଦିଆଯିବ।

Leave A Reply

Your email address will not be published.