ଫିଲିପାଇନ୍ସର ଦକ୍ଷିଣ ଅଞ୍ଚଳ ମିଣ୍ଡାନାଓ ଦ୍ୱୀପ ନିକଟରେ ସୋମବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସେସ୍ (GFZ) ଅନୁସାରେ ଭୂକମ୍ପର ପ୍ରାରମ୍ଭିକ ତୀବ୍ରତା 8.2 ମାପାଯାଇଥିଲା। ଭୂକମ୍ପ ପରେ ଫିଲିପାଇନ୍ସ ସହ ଇଣ୍ଡୋନେସିଆ ଓ ଅନ୍ୟ କିଛି ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରାଯାଇଛି।
ସ୍ଥାନୀୟ ସମୟ ଅନୁସାରେ ସକାଳ ପ୍ରାୟ 7ଟା 40 ମିନିଟ୍ ସମୟରେ ଏହି ଭୂକମ୍ପ ଘଟିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ମିଣ୍ଡାନାଓ ଉପକୂଳ ନିକଟରେ ଏବଂ ଭୂପୃଷ୍ଠରୁ ପ୍ରାୟ 10 କିଲୋମିଟର ଗଭୀରରେ ଥିବା ଜଣାପଡ଼ିଛି। ଭୂକମ୍ପର ଝଟକା ଅତ୍ୟନ୍ତ ତୀବ୍ର ଥିବାରୁ ଲୋକମାନେ ଭୟଭୀତ ହୋଇ ଘର ଓ କାର୍ଯ୍ୟାଳୟରୁ ବାହାରକୁ ଦୌଡ଼ି ଆସିଥିଲେ।
ଫିଲିପାଇନ୍ସର ଭୂକମ୍ପ ଓ ଅଗ୍ନିଗିରି ନିରୀକ୍ଷଣ ସଂସ୍ଥା (PHIVOLCS) ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ସୁରକ୍ଷିତ ଭାବେ ସରିଯିବାକୁ ପରାମର୍ଶ ଦେଇଛି। କେତେକ ସ୍ଥାନରେ ସମୁଦ୍ର ଜଳ ପଛକୁ ହଟିଥିବା ରିପୋର୍ଟ ମିଳିଥିବା ବେଳେ ସୁନାମି ତରଙ୍ଗ କିଛି ଘଣ୍ଟା ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ସତର୍କ କରାଯାଇଛି।
ପ୍ରାଥମିକ ରିପୋର୍ଟ ଅନୁଯାୟୀ କେତେକ ଅଞ୍ଚଳରେ ବିଦ୍ୟୁତ ଓ ଯୋଗାଯୋଗ ସେବା ବାଧାପ୍ରାପ୍ତ ହୋଇଛି ଏବଂ କିଛି ଭବନରେ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର ଜନହାନି ସମ୍ପର୍କରେ ସୂଚନା ମିଳିନାହିଁ। କ୍ଷୟକ୍ଷତିର ଆକଳନ ଜାରି ରହିଛି।