Latest Odisha News

ଇଣ୍ଡିଆ ମେଣ୍ଟ ବୈଠକରେ ମମତାଙ୍କ ନିର୍ବାଚନ ଚିନ୍ତା, ଚାକିରି ଓ ଅର୍ଥନୀତିକୁ ନେଇ କେନ୍ଦ୍ରକୁ ଘେରିଲେ ଖଡ଼ଗେ

ନୂଆଦିଲ୍ଲୀ: ନୂଆଦିଲ୍ଲୀର କନଷ୍ଟିଟ୍ୟୁସନ କ୍ଲବରେ ସୋମବାର ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିରୋଧୀ ଦଳର ଶୀର୍ଷ ନେତାମାନେ ରାଜନୀତି, ଅର୍ଥନୀତି ଓ ଶାସନ ବ୍ୟବସ୍ଥା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

 

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବୈଠକର ଅଧ୍ୟକ୍ଷତା କରିଥିଲେ। ରାହୁଲ ଗାନ୍ଧୀ, ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ସୁପ୍ରିୟା ସୁଲେ ଓ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଉପସ୍ଥିତ ଥିଲେ।

 

ବୈଠକରେ ମମତା ବାନାର୍ଜୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଓ ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ପ୍ରକ୍ରିୟାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଏହି ପ୍ରକ୍ରିୟାରୁ ବିଜେପି ଲାଭ ପାଇଛି ଏବଂ ନିର୍ବାଚନ କମିଶନ ବିଜେପିକୁ ସହାୟତା କରିଛି।

 

ଖଡ଼ଗେ କେନ୍ଦ୍ର ସରକାରକୁ ଘେରି କହିଥିଲେ ଯେ ଦେଶ ଦରଦାମ ବୃଦ୍ଧି, ବେକାରି, ପରୀକ୍ଷା ବ୍ୟବସ୍ଥାର ଅନିୟମିତତା ଓ ଅର୍ଥନୈତିକ ମନ୍ଦାଭାବ ଭଳି ସମସ୍ୟାର ସମ୍ମୁଖୀନ। ସେ ଏହା ମଧ୍ୟ କହିଥିଲେ ଯେ ଏସଆଇଆର ନାମରେ ଲକ୍ଷାଧିକ ଲୋକଙ୍କ ଭୋଟ ଅଧିକାର କାଢ଼ି ନେବାକୁ ଚେଷ୍ଟା ହେଉଛି।

 

ସମ୍ବିଧାନର ସୁରକ୍ଷା, ଯୁବକଙ୍କ ପାଇଁ ଚାକିରି ସୃଷ୍ଟି, ଏମଏସଏମଇ କ୍ଷେତ୍ରର ଭବିଷ୍ୟତ ଓ ପରୀକ୍ଷାରେ ହେଉଥିବା ଅନିୟମିତତା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଏକ ସାଧାରଣ ରଣନୀତି ଗଠନ ଉପରେ ମେଣ୍ଟ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.