Latest Odisha News

BREAKING NEWS

ଓଜେଇଇ ୨୦୨୬ ରେଜଲ୍ଟ ବିଫାର୍ମାରେ ଶୁଭ୍ରାଂଶୁ ଏବଂ ଏମବିଏରେ ତ୍ରିବିକ୍ରମ ଟପ୍ପର

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ୨୦୨୬ର ଫଳାଫଳ ସୋମବାର ପ୍ରକାଶ ପାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବିଧିବଦ୍ଧ ଭାବେ ଏହି ଫଳାଫଳ ଘୋଷଣା କରିଛନ୍ତି। ଚଳିତ ବର୍ଷ ବିଫାର୍ମାରେ ଶୁଭ୍ରାଂଶୁ ସୂତାର ଟପ୍ପର ହୋଇଥିବା ବେଳେ ଏମବିଏ ପାଠ୍ୟକ୍ରମରେ ତ୍ରିବିକ୍ରମ ପ୍ରଧାନ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ସେହିପରି ଅନ୍ୟାନ୍ୟ ବିଭାଗରେ ମଧ୍ୟ ଛାତ୍ରଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଏମସିଏ ପାଠ୍ୟକ୍ରମରେ ନରେନ ପାତ୍ର ଏବଂ ଏମଟେକରେ ସ୍ୱାଗତ କୁମାର ବେହୁରା ଟପ୍ପର ହୋଇଛନ୍ତି। ଇଣ୍ଟିଗ୍ରେଟେଡ୍ ଏମବିଏରେ ଶ୍ରୀମୟୀ ପାଣିଗ୍ରାହୀ ଏବଂ ଏମଫାର୍ମରେ ଶ୍ୟାମସୁନ୍ଦର ବେହେରା ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ସାମାଜିକ ଗଣମାଧ୍ୟମ ଏକ୍ସରେ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଓଜେଇଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ମୋଟ ୧ ଲକ୍ଷ ୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୯୨ ହଜାର ୬୨୮ ଜଣ ପରୀକ୍ଷା ଦେଇଥିଲେ। ନର୍ସିଂ ପାଠ୍ୟକ୍ରମକୁ ବାଦ୍ ଦେଲେ ଅନ୍ୟାନ୍ୟ ବିଭାଗରେ ମୋଟ ୬୨ ହଜାର ୬୯୧ ଜଣ ଛାତ୍ରଛାତ୍ରୀ ରାଙ୍କ୍ ପାଇଛନ୍ତି। ଚଳିତ ମାସ ତୃତୀୟ ସପ୍ତାହରୁ ନାମଲେଖା ପାଇଁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନରେ ଇଞ୍ଜିନିୟରିଂ ଫାର୍ମାସୀ ଏମବିଏ ଭଳି ୧୬ଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଗତ ମେ ମାସ ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା କରାଯାଇଥିଲା। ଏଥିପାଇଁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ସମେତ କୋଲକାତା ରାଞ୍ଚି ଏବଂ ପାଟନାରେ ମୋଟ ୯୯ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ପରୀକ୍ଷାର୍ଥୀମାନେ ଓଜେଇଇର ଅଫିସିଆଲ୍ ୱେବସାଇଟରୁ ନିଜର ରାଙ୍କ୍ କାର୍ଡ ଡାଉନଲୋଡ୍ କରିପାରିବେ।

Leave A Reply

Your email address will not be published.