ଭୁବନେଶ୍ୱର: ସମ୍ବଲପୁର ବାସୀଙ୍କ ପାଇଁ ଏକ ଖୁସି ଖବର। ସହର ନିକଟ ଦେଇ ଯାଇଥିବା ମହାନଦୀରେ ଏକ ନୂଆ ବ୍ୟାରେଜ୍ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ୍ ୪୪୦ କୋଟି ୩୩ ଲକ୍ଷ ଟଙ୍କାର ଅନୁମୋଦନ ଦେଇଛି। ପୁରୁଣା ଅଯୋଧ୍ୟା ସାଗର ୱିୟର ବଦଳରେ ଏକ ନୂତନ ବ୍ରିଜ୍ ସହ ଏହି ବ୍ୟାରେଜ୍ ନିର୍ମାଣ କରାଯିବ।
ଅଯୋଧ୍ୟା ସାଗର ୱିୟର ୧୯୬୦ ମସିହାରେ ନିର୍ମାଣ ହୋଇଥିଲା। ଦୀର୍ଘ ବର୍ଷ ଧରି ଏହା ସମ୍ବଲପୁର ସହର ଏବଂ ଆଖପାଖ ଅଞ୍ଚଳକୁ ପାନୀୟ ଜଳ ଯୋଗାଉଥିଲା। କିନ୍ତୁ ବର୍ତ୍ତମାନ ଏହା ଅତ୍ୟନ୍ତ ଦୁର୍ବଳ ହୋଇପଡିଛି। ଏଥିରେ ଅନେକ ଫାଟ ସୃଷ୍ଟି ହେବା ସହ ବିଭିନ୍ନ ସ୍ଥାନରେ ପାଣି ଲିକ୍ ହେଉଛି ଯାହାଫଳରେ ଏହାର ପାଣି ଧାରଣ କ୍ଷମତା କମିଯାଇଛି। ବୈଷୟିକ ଅନୁଧ୍ୟାନ ପରେ ଜଣାପଡିଛି ଯେ ଏହାକୁ ମରାମତି କରିବା ଆଉ ସମ୍ଭବ କିମ୍ବା ଲାଭଦାୟକ ନୁହେଁ। ତେଣୁ ସରକାର ଏହି ନୂଆ ପ୍ରକଳ୍ପ ହାତକୁ ନେଇଛନ୍ତି।
ନୂଆ ବ୍ୟାରେଜ୍ ନିର୍ମାଣ ପାଇଁ କ୍ୟାବିନେଟ୍ ସବୁଠାରୁ କମ୍ ଟେଣ୍ଡର ଦେଇଥିବା ସଂସ୍ଥାକୁ ବାଛିଛି। ଏହି ପ୍ରକଳ୍ପର ଖର୍ଚ୍ଚ ୪୪୦ କୋଟିରୁ ଅଧିକ ରହିଥିବା ବେଳେ ଏଥିରେ ଜିଏସଟି ସାମିଲ ନାହିଁ। ଆସନ୍ତା ୩୦ ମାସ ଭିତରେ ଏହାର କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କାମ ସରିବା ପରେ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମ୍ପୃକ୍ତ ଠିକା ସଂସ୍ଥା ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଇବ।
ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସମ୍ବଲପୁର ଓ ଆଖପାଖ ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିପାରିବ। କେବଳ ସେତିକି ନୁହେଁ ଏହାଦ୍ୱାରା ମାଛ ଚାଷ ଏବଂ ଗୋପାଳନ କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିବ। ସ୍ଥାନୀୟ ଅଞ୍ଚଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହ ନଦୀର ପରିବେଶ ସନ୍ତୁଳନ ବଜାୟ ରହିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ଏହାଛଡା ପର୍ଯ୍ୟଟନର ବିକାଶ ପାଇଁ ଏଠାରେ ବୋଟିଂର ସୁବିଧା କରାଯିବ। ମାଆ ସମଲେଶ୍ୱରୀଙ୍କ ମନ୍ଦିର ସହ ଯୋଡି ହେବା ପରି ଏକ ଆଳତୀ ଘାଟ ନିର୍ମାଣ କରିବାକୁ ମଧ୍ୟ ଯୋଜନା ରହିଛି। ଏହାଦ୍ୱାରା ସମ୍ବଲପୁରରେ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ପରିବେଶ ଆହୁରି ଆକର୍ଷଣୀୟ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି।
Comments are closed.