ଭୁବନେଶ୍ୱର:ଦୀଘା ଜଗନ୍ନାଥ ମନ୍ଦିର ନାମକରଣ ବିବାଦକୁ ନେଇ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି। ଦୀଘା ଜଗନ୍ନାଥ ଧାମ ନାଁରୁ ‘ଧାମ’ ଶବ୍ଦ ହଟାଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି।
ନୂଆ ନିଷ୍ପତ୍ତି ଅନୁସାରେ, ଦୀଘା ଜଗନ୍ନାଥ ଧାମ ବଦଳରେ ଏହାର ନାମ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର କରାଯିବ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପରେ ଏହି ପଦକ୍ଷେପ ନିଆଯାଉଥିବା କୁହାଯାଉଛି।
ଶୁଭେନ୍ଦୁ କହିଛନ୍ତି, ପୂର୍ବ ସରକାର ଦୀଘା ମନ୍ଦିର ସହ ‘ଧାମ’ ଶବ୍ଦ ଯୋଡ଼ି ଭୁଲ କରିଥିଲେ। ତାଙ୍କ ମତରେ, ପୁରୀ ଶ୍ରୀଜଗନ୍ନାଥ ଧାମର ସ୍ୱତନ୍ତ୍ର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ରହିଛି। ସେହି ଭାବନାକୁ ସମ୍ମାନ ଦେଇ ଦୀଘାରୁ ‘ଧାମ’ ଶବ୍ଦ ହଟାଯିବ।
ଏହି ପ୍ରସଙ୍ଗରେ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ମଧ୍ୟ ସୂଚନା ପଠାଯାଇଥିବା କଥା କୁହାଯାଇଛି। ନାମ ପରିବର୍ତ୍ତନ ପାଇଁ କ୍ୟାବିନେଟରେ ପ୍ରସ୍ତାବ ଆସିବ ଓ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ନିଆଯିବ। ଦୀର୍ଘ ଦିନ ଧରି ଚାଲିଥିବା ଏହି ନାମକରଣ ବିବାଦରେ ଏବେ ନୂଆ ମୋଡ଼ ଆସିଛି।
ଉଲ୍ଲେଖଯୋଗ୍ଯ, ମମତା ବାନାର୍ଜୀ ସରକାର ଏହି ମନ୍ଦିର ତିଆରି କରି ଜଗନ୍ନାଥ ଧାମ ବୋଲି ନାମକରଣ କରିଥିଲେ । ଏହାକୁ ନେଇ ଜଗନ୍ନାଥ ପ୍ରେମୀ ତୀବ୍ର ପ୍ରତିକ୍ରିୟା କରିଥିଲେ । ହେଲେ ମମତା ତାଙ୍କ ଜିଦରେ ଅଡି ବସିଥିଲେ । ପରେ କିନ୍ତୁ ତାଙ୍କୁ କ୍ଷମତାରୁ ହଟିବାକୁ ପଡ଼ିଛି ।