ଭୁବନେଶ୍ୱର: ରାଜଧାନୀରେ ପୁଣି ଡେଲିଭରିବୟଙ୍କୁ ସଂଘବଦ୍ଧ ଆକ୍ରମଣ। ଗୋଡ଼େଇ ଗୋଡେଇ ଆକ୍ରମଣ କଲେ ଦୁର୍ବୃତ୍ତ। ରେଡ୍କ୍ରସ ଅଫିସ-ନିକୋ ପାର୍କ ରାସ୍ତା ମଝିରେ ହୋଇଛି ସଂଘବଦ୍ଧ ଆକ୍ରମଣ। ଆହତ ଡେଲିଭରିବୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖାରବେଳନଗର ଥାନା ପୋଲିସର ତଦନ୍ତ ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୨ଟାରେ ଅର୍ଡର ମୁତାବକ ଡାଲମା ହୋଟେଲ ନିକଟ ଏକ ଘରକୁ ଖାଦ୍ୟ ଡେଲିଭରି ଦେବାକୁ ଜଣେ ଯୁବକ ଯାଇଥିଲେ । ୨ଟା ବାଇକ୍ରେ ୫ଜଣ ଦୁର୍ବୁତ୍ତ ସେହି ରାସ୍ତାରେ ଉତ୍ପାତ କରୁଥିଲେ। ରାସ୍ତାରେ ଯାଉଥିବା ଗାଡ଼ିଚାଳକଙ୍କୁ ଅଟକାଇ ଗାଳି ଗୁଲଜ କରୁଥିଲେ। ଡେଲିଭରି ବଏ ଜଣକ ସେହି ରାସ୍ତାରେ ଫେରିବା ବେଳେ ଦୁର୍ବୁତ୍ତଙ୍କ ହାବୁଡ଼ରେ ପଡିଗଲେ । ଦୁର୍ବୁତ୍ତମାନେ ସଂଘବଦ୍ଧ ହେଇ ତାଙ୍କ ଉପରକୁ ଝାମ୍ପି ପଡ଼ିଲେ । ସେମାନେ ପ୍ରଥମେ ଡେଲିଭରି ବୟଙ୍କ ବାଇକ୍କୁ ଛଡାଇ ନେଲେ । ଡେଲିଭରି ବୟ ଜଣକ ଭୟରେ ଧାଇଁବାକୁ ଲାଗିଲେ ।
ଦୁର୍ବୁତ୍ତମାନେ ତାଙ୍କୁ ରାସ୍ତାରେ ଗୋଡ଼ଇବା ସହ ମାରଣାସ୍ତ୍ର ଯୋଗେ ଆକ୍ରମଣ କରିଥିଲେ । ସେହି ରାସ୍ତାରେ ପାଟ୍ରୋଲିଂ କରୁଥିବା ଖାରବେଳନଗର ଥାନା ଅଧିକାରୀ ଦେବେନ୍ଦ୍ର ପୃଷ୍ଟି ଏହା ଦେଖି ଡେଲିଭରି ବୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ଘଟଣାସ୍ଥଳରୁ ଦୁଇଜଣ ଦୁର୍ବୁତ୍ତଙ୍କୁ ପୁଲିସ କାବୁ କରିଛି । ଫେରାର ୩ ଜଣଙ୍କୁ ଧରିବାକୁ ପୁଲିସ ଚଢ଼ଉ ଜାରି ରଖିଛି ।