Latest Odisha News

BREAKING NEWS

Raja 2026: ରଜ ପାଳୁଛି ଓଡିଶା: ଦୋଳିର ତାଳେ ତାଳେ, ପୋଡପିଠାର ମଜା ନେଇ ହସୁଛି, ବିଶ୍ରାମ ନେଉଛି ଧରିତ୍ରୀ ମା’…

ଭୁବନେଶ୍ବର: ବର୍ଷାର ପ୍ରଥମ ଛୁଆଁ, ମାଟିର ସୁଗନ୍ଧ ଏବଂ ଆମ୍ବ ବଗିଚାରେ ଝୁଲୁଥିବା ରଙ୍ଗିନ ଦୋଳି…ଏହି ସବୁକିଛି ସହ ଆସେ ଓଡ଼ିଶାର ଗଣପର୍ବ ରଜ। ଯେଉଁଠି ଆଜି ବି ଋତୁସ୍ରାବ କଥା ପଡିଲେ ମଣିଷ ଟିକେ ଅସହଜ ହୋଇଉଠେ, ସେଠି ରାଜ୍ୟ ଓଡିଶା ଏହାକୁ ଧୁମଧାମରେ ପାଳନ କରେ । ଧରିତ୍ରୀ ମାତ୍ରା ରଜସ୍ବଳା ହୋଇଥିବା ବେଳେ ତାହାର ସମାନର୍ଥେ ପୂରା ୫ ଦିନର ମଉଜ ପାଳେ ଓଡିଶା ।

ଆଜି ପହିଲି ରଜ, ରଜ ପର୍ବର ପ୍ରଥମ ଦିନ। ଏହା କେବଳ ଏକ ପର୍ବ ନୁହେଁ, ବରଂ ନାରୀତ୍ୱ, ପ୍ରକୃତି ଏବଂ ଜୀବନର ଉତ୍ସବ। ଯାହାକୁ ମୂଳତଃ ୫ ଦିନ ପାଳନ କରାଯାଏ । ସଜବାଜ, ପହିଲି ରଜ, ରଜ ସଂକ୍ରାନ୍ତି, ଶେଷ ରଜ ଏବଂ ବସୁମତି ସ୍ନାନ । ଓଡ଼ିଆ ପରମ୍ପରା ଅନୁଯାୟୀ, ପହିଲି ରଜରୁ ଶେଷ ରଜ ପର୍ଯ୍ୟନ୍ତ, ଏହି ତିନି ଦିନ ଧରି ଧରିତ୍ରୀ ମା’ ରଜସ୍ୱଳା ହୁଅନ୍ତି। ତେଣୁ ଚାଷ କାର୍ଯ୍ୟ ବନ୍ଦ ରହେ, ମାଟିକୁ ଖୋଳାଯାଏ ନାହିଁ। ଯେପରି ଜଣେ ନାରୀଙ୍କୁ ବିଶ୍ରାମ ଏବଂ ସମ୍ମାନ ଦିଆଯାଏ, ସେହିପରି ଧରିତ୍ରୀ ମା’ଙ୍କୁ ମଧ୍ୟ ଏହି ସମୟରେ ବିଶ୍ରାମ ଦିଆଯାଏ। ଆଉ ବସୁମତୀ ସ୍ନାନ ଦିନ ଧରିତ୍ରୀ ମାତାକୁ ଗାଧୋଇ ଦେଇ ,ପୂଜା କରି ଏହି ପର୍ବ ମଉଜକୁ ଶେଷ କରନ୍ତି ଓଡିଶାବାସୀ । ଏହା ହେଉଛି ମଣିଷ ଓ ପ୍ରକୃତିର ଅଦ୍ଭୁତ ସମ୍ପର୍କର ପ୍ରତୀକ।

ପହିଲି ରଜ ସକାଳରୁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳେ ରଙ୍ଗବେରଙ୍ଗର ଦୋଳି। ନୂଆ ପୋଷାକ ପିନ୍ଧି, ଭଳିକି ଭଳି ସଜେଇ ହୋଇ ଝିଅମାନେ ଦୋଳି ଖେଳନ୍ତି, ରଜ ଗୀତ ଗାଆନ୍ତି ଏବଂ ସାଙ୍ଗସାଥୀଙ୍କ ସହ ଆନନ୍ଦ ଉପଭୋଗ କରନ୍ତି। ହସ, ଗୀତ ଓ ଉତ୍ସାହରେ ଭରିଯାଏ ପରିବେଶ।

ଆଉ ରଜ ଆସିଲେ ମନେ ପଡ଼େ ପୋଡ଼ପିଠା। ଘରେ ଘରେ ପ୍ରସ୍ତୁତ ହୁଏ ଏହି ପାରମ୍ପରିକ ପିଠା। ସାଙ୍ଗକୁ ବିଭିନ୍ନ ପ୍ରକାର ପିଠା, ମିଠା ଓ ଋତୁକାଳୀନ ଫଳର ସ୍ୱାଦରେ ମୁଖରିତ ହୋଇଉଠେ ପରିବାର।

ହେଲେ ଆଜିର ଏ ବ୍ୟସ୍ତତା ବହୁଳ ଜୀବନ ଆଉ ଆଧୁନିକ ଚାଲିଚଳନିରେ ଆଉ ପୂର୍ବ ରଜର ସେ ବାସ୍ନା କି ଅନୁଭବ ନାହିଁ । ମନେ ହୁଏ କେଉଁଠି ହଜିଗଲାଣି ସେ ପୁରୁଣା ଦିନ । ତଥାପି ଆଜିର ବ୍ୟସ୍ତ ଜୀବନରେ ଓଡିଆ ପରମ୍ପରାର ଏହି ରଜ ପାଳନ ଆମକୁ ଶିଖାଏ, କିଛି ସମୟ ପାଇଁ ବିଶ୍ରାମ ନିଅ, ପ୍ରକୃତିକୁ ଅନୁଭବ କର, ନାରୀଙ୍କୁ ସମ୍ମାନ ଦିଅ ଏବଂ ସମ୍ପର୍କକୁ ସମୟ ଦିଅ।

ପହିଲି ରଜର ଏହି ପବିତ୍ର ଅବସରରେ ଓଡ଼ିଶା ପୁଣିଥରେ ଦୋଳିର ତାଳେ, ଗୀତର ସୁରରେ ଏବଂ ପୋଡ଼ପିଠାର ସୁଗନ୍ଧରେ ଉତ୍ସବମୁଖର ହୋଇଉଠିଛି। “ରଜ କେବଳ ଏକ ପର୍ବ ନୁହେଁ; ଏହା ହେଉଛି ନାରୀତ୍ୱର ସମ୍ମାନ, ପ୍ରକୃତି ପ୍ରତି କୃତଜ୍ଞତା ଏବଂ ଓଡ଼ିଆ ଅସ୍ମିତାର ଗୌରବ।” ତେଣୁ ଆସନ୍ତୁ ମିଶିକି ଏହାର ମଜା ନେବା । ଓଡିଶା ସମ୍ବାଦ ପରିବାର ତରଫରୁ ଆପଣଙ୍କୁ ‘ହାପି ରଜ’ ।

Leave A Reply

Your email address will not be published.