ନୂଆଦିଲ୍ଲୀ: ଚିରିଦେଲେ ଛାଡ଼ପତ୍ର କାଗଜ..
ସ୍ବାମୀଙ୍କୁ କୁଣ୍ଡାଇ ପକାଇ ଭୋ ଭୋ କାନ୍ଦିଲେ
ପ୍ରେମର ଏମିତି କାହାଣୀ ଶୁଣି ଆପଣଙ୍କ ଆଖି ବି ଭିଜିଯିବ…
କେବେ ଯୌତୁକ ଅଭିଯୋଗ, କେବେ ଘରୋଇ ହିଂସା ମାମଲା, ଆଉ କେବେ ଛାଡ଼ପତ୍ରର ଲମ୍ବା ଲଢ଼େଇ, ଏମିତି କାହାଣୀ ଆପଣ ଅନେକ ଶୁଣିଥିବେ । ହେଲେ ୫ ବର୍ଷ ଧରି କୋର୍ଟରେ ପରସ୍ପର ବିରୋଧରେ ଲଢ଼ୁଥିବା ସ୍ୱାମୀ-ସ୍ତ୍ରୀ ହଠାତ୍ ଏମିତି ଭାବରେ ମିଶିଗଲେ ଯେ, କୋର୍ଟ ବାହାରେ ଉପସ୍ଥିତ ସମସ୍ତଙ୍କ ଆଖି ଭିଜିଯାଇଥିଲା।
ଦିଲ୍ଲୀର ଶିଖା ସିଂହ ଓ ସୌରଭ ସିଂହଙ୍କ ଏହି କାହାଣୀ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ପ୍ରେର ତାକତ୍ ଯେ କେତେ, ତାହା ଚିଲ୍ଲେଇ ଚିଲ୍ଲେଇ କହୁଛି । ଯେଉଁଠାରେ କୋର୍ଟର ଲମ୍ବା ପ୍ରକ୍ରିୟା, ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ ଓ ବର୍ଷ ବର୍ଷର ତିକ୍ତ ସମ୍ପର୍କକୁ ଏକ ଆଲିଙ୍ଗନ ମାତ୍ର କିଛି ସେକେଣ୍ଡରେ ବଦଳାଇ ଦେଇଛି ।
୨୦୨୦ ମସିହାରେ ହିନ୍ଦୁ ରୀତିନୀତି ଅନୁସାରେ ଶିଖା ଓ ସୌରଭଙ୍କ ବିବାହ ହୋଇଥିଲା। କିନ୍ତୁ ବିବାହ ପରେ ସମ୍ପର୍କରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଥିଲା। ଶିଖା ତାଙ୍କ ସ୍ୱାମୀ ଓ ଶ୍ୱଶୁରଘର ଲୋକଙ୍କ ବିରୋଧରେ ଯୌତୁକ ଦାବି, ମାନସିକ ନିର୍ଯାତନା ଓ ଘରୋଇ ହିଂସା ଭଳି ଗୁରୁତର ଅଭିଯୋଗ ଆଣିଥିଲେ। ଏହାପରେ ମାମଲା କୋର୍ଟକୁ ଯାଇଥିଲା। ତାରିଖ ପରେ ତାରିଖ ଗଡ଼ି ଚାଲିଲା। ଓକିଲ ଫି ଓ ମାମଲା ଲଢ଼େଇରେ ଉଭୟ ପରିବାରର ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଗଲା। ହେଲେ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବାର ନାଁ ନେଉଥିଲା । ବୋଧେ ଭଗବାନଙ୍କ ଲିଖନୀ ଆଉ କିଛି ଥିଲା ।
ଏହି ଲଢ଼େଇ ମଧ୍ୟରେ ହଠାତ୍ ଶିଖାଙ୍କ ବାପାଙ୍କୁ ହାର୍ଟ ଆଟାକ୍ ଆସିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଖବର ପାଇବା ମାତ୍ରେ ଜ୍ବାଇଁ ସୌରଭ ହସ୍ପିଟାଲରେ ପହଞ୍ଚିଥିଲେ। ସେ କେବଳ ଖବର ବୁଝି ଫେରିଯାଇନଥିଲେ, ବରଂ ନିଜ ଶ୍ୱଶୁରଙ୍କୁ ଗୁରୁଗ୍ରାମର ଏକ ବଡ଼ ବେସରକାରୀ ହସ୍ପିଟାଲକୁ ନେଇ ଉତ୍ତମ ଚିକିତ୍ସାର ବ୍ୟବସ୍ଥା କରିଥିଲେ। ଶିଖାଙ୍କ ପାଇଁ ଏହି ଘଟଣା ଏକ ବଡ଼ ମୋଡ଼ ନେଇଆସିଥିଲା। ବର୍ଷ ବର୍ଷ ଧରି ରାଗ, ଅଭିମାନ ଓ ଅଭିଯୋଗ ଭିତରେ ଲୁଚି ରହିଥିବା ମାନବିକତାକୁ ସେ ପ୍ରଥମଥର ଅନୁଭବ କରିଥିଲେ। ପରେ ଏହି ଶୁକ୍ରବାର ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ସେହି ମାମଲାର ଶୁଣାଣି ଥିଲା। କିନ୍ତୁ ଶୁଣାଣି ପୂର୍ବରୁ କିଛି ଅବିଶ୍ବସନୀୟ ଘଟିଥିଲା, ଯାହା ଏବେ ପୂରା ଇଣ୍ଟନେଟର ମନ କିଣୁଛି ।
କୋର୍ଟରେ ପହଞ୍ଚିବା ପରେ ସ୍ବାମୀଙ୍କୁ ଦେଖିବା ମାତ୍ରେ ଶିଖାଙ୍କ ମନ ଭିତରେ ଥିବା ସେ କଅଁଳ ଶିଶୁ ଯେପରି ବାହାରି ଆସିଥିଲା । ଶିଖା ଛାଡ଼ପତ୍ର ଓ ମାମଲା ସମ୍ବନ୍ଧୀୟ ସମସ୍ତ କାଗଜପତ୍ରକୁ ସେହିଠାରେ ହିଁ ଚିରି ଫୋପାଡି ଦେଇଥିଲେ । ସବୁ ରାଗରୁଷା ଅଭିମାନ ଛାଡି, କୋର୍ଟ ସାମ୍ନାରେ ହିଁ ସୌରଭଙ୍କୁ କୁଣ୍ଡାଇ ଭୋ ଭୋ କାନ୍ଦିଥିଲେ ଶିଖା । ଏହାପରେ ଦୁହେଁ ପରସ୍ପରକୁ ଧରି କାନ୍ଦିଥିଲେ। ସେହି ମୁହୂର୍ତ୍ତରେ ମନେ ହେଉଥିଲା ଯେ ବର୍ଷ ବର୍ଷର ତିକ୍ତତା, ଅଭିମାନ ଓ ଆଇନଗତ ଯୁଦ୍ଧ ପ୍ରେମ ଆଉ ନିଷ୍କପଟ ଭଲ ପାଇବା ଆଗରେ ହାର୍ ମାନିଛି ।
ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତୁଛି। ଯେଉଁମାନେ ଏହି ଭିଡିଓ ଦେଖୁଛନ୍ତି, ସେମାନେ କହୁଛନ୍ତି— “କେବେ କେବେ ପ୍ରେମ ଜିତିଯାଏ, ଆଉ ଅଭିମାନ ହାରିଯାଏ।” ଏହି କାହାଣୀ ପୁଣିଥରେ ପ୍ରମାଣ କରିଛି ଯେ, ସମ୍ପର୍କ ଭାଙ୍ଗିବାକୁ କିଛି ମୁହୂର୍ତ୍ତ ଲାଗେ, କିନ୍ତୁ ଗୋଟିଏ ସତ ଭଲପାଇବା ଓ ସମ୍ପର୍କକୁ ବାନ୍ଧି ରଖିବାର ଇଚ୍ଛା ସବୁ ଦୂରତାକୁ ମିଟାଇ ଦେଇପାରେ।
