ଭୁବନେଶ୍ବର: ଉପକୂଳରେ ବର୍ଷା ସହ ଗୁଳୁଗୁଳି ଜାରି ରହିଛି। ଆଜି ପାଇଁ ଅନେକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯାହାଫଳରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ଏବଂ ପବନ ବହିବା ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି।
ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା, ବିଜୁଳି ଏବଂ ପବନ ବହିବା (୫୦-୬୦ କିଲୋମିଟର ପ୍ରତି ଘଣ୍ଟା) ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ରାୟଗଡ଼ା ଏବଂ ମାଲକାନଗିରିରେ ପ୍ରବଳ ପବନ ବହିବା ସହିତ ବଜ୍ରପାତ ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ପ୍ରବଳ ପବନ (୪୦-୫୦ କିଲୋମିଟର ପ୍ରତି ଘଣ୍ଟା) ସହିତ ବଜ୍ରପାତ ହେବାର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ତେବେ ୧୯ ଓ ୨୦ ତାରିଖ ବେଳକୁ ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ଆକଳନ କରାଯାଇଛି। ରାଜ୍ୟକୁ ମୌସୁମୀ ପ୍ରବେଶ କରିସାରିଛି। କିନ୍ତୁ ବଙ୍ଗୋସାଗରରେ ଘୂର୍ଣ୍ଣିବଳୟ ବା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନ ଥିବାରୁ ବିଶେଷ ବର୍ଷା ନାହିଁ। ଯାହାଫଳରେ କିଛି ସ୍ଥାନରେ ଏବେବି ଗୁଳୁଗୁଳି ଅନୁଭୂତ ହେଉଛି।
