ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରଜ ପରେ ଏହି ଖବର ଉପରେ ଉପରେ ସାରା ଓଡ଼ିଶାର ରହିଛି ନଜର। କିନ୍ତୁ ମୋଦିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଯାହା ସମସ୍ତଙ୍କୁ ଖାସକରି ମିଡିଆକୁ ହତବାକ କରି ଦେଇଛି।
ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗାଁକୁ ଆସନ୍ତା ୨୦ ତାରିଖରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ କଟକଣା ଜାରି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଳିତ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଦର୍ଶାଇ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆକୁ ସେଠାକୁ ନଯିବା ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏକ ସରକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲ୍ଲା ଗୋଇନ୍ଦା ବିଭାଗ ଏବଂ ଏସପିଙ୍କ ସୁପାରିଶ କ୍ରମେ ଏହି ଅଜବ ନିଷ୍ପତ୍ତି ନିଆଯାଇଛି।
ରାଷ୍ଟ୍ରପତିଙ୍କ ଶ୍ୱଶୁର ଘର ଗାଁ ହୋଇଥିବାରୁ ପାହାଡ଼ପୁର ସହ ତାଙ୍କର ଏକ ଗଭୀର ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଏକାଠି ଏହି ଗାଁକୁ ଆସୁଥିବା ବେଳେ ଗଣମାଧ୍ୟମକୁ ଦୂରେଇ ରଖିବା ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ସତରେ କଣ କେବଳ ଭିଭିଆଇପି ସୁରକ୍ଷା ପାଇଁ ଏହି କଟକଣା ନା ଏହା ପଛରେ ପ୍ରଶାସନର କୌଣସି ଚତୁରତା ଲୁଚି ରହିଛି?
ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ଯେ ଦୀର୍ଘ ଦିନ ଧରି ଅବହେଳିତ ହୋଇ ରହିଥିବା ଏହି ଆଦିବାସୀ ଏରିଆର ପ୍ରକୃତ ଚିତ୍ର ଯେମିତି କ୍ୟାମେରା ଆଗକୁ ନଆସେ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆଗରେ କେବଳ ଚକାଚକ ରାସ୍ତା ଏବଂ ତରବରିଆ ଭାବେ ରଙ୍ଗ ଦିଆଯାଇଥିବା କାନ୍ଥ ଦେଖାଇ ନିଜର ପିଠି ଥାପୁଡ଼ାଇବା ପାଇଁ ପ୍ରଶାସନ ବ୍ୟାକୁଳ ହୋଇପଡ଼ିଛି।
ଗଣମାଧ୍ୟମ ସେଠାରେ ପହଞ୍ଚିଲେ ହୁଏତ ଅଞ୍ଚଳର ଅସଲ ଅନୁନ୍ନତ ସ୍ଥିତି, ପାନୀୟ ଜଳର ସମସ୍ୟା, ସରକାରୀ ଯୋଜନାର ବିଫଳତା ଏବଂ ଦାରିଦ୍ର୍ୟର ବାସ୍ତବ ରୂପ ପଦାରେ ପଡ଼ିଯିବାର ଭୟ ରହିଛି। ଭିଭିଆଇପିଙ୍କୁ ଭ୍ରମରେ ରଖିବା ଏବେ ନିଜର ଦୋଷ ଲୁଚାଇବା ପାଇଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ବାଦ୍ ଦେବାର ଏହି ପ୍ରଶାସନିକ କାଇଦାକୁ ଏବେ ସବୁଠି ସମାଲୋଚନା କରାଯାଉଛି।
ସୂଚନାଯୋଗ୍ୟ ଯେ ପାହାଡ଼ପୁର ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶ୍ୱଶୁର ଘର ଗାଁ ଯାହା ତାଙ୍କ ପାଇଁ ଗୁରୁତ୍ୱ ବହନ କରେ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଏହି ଗାଁ ପରିଦର୍ଶନ କରି ବିଭିନ୍ନ ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଦେଶର ଶୀର୍ଷ ନେତାଙ୍କ ସୁରକ୍ଷା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଗଣମାଧ୍ୟମକୁ ଏଭଳି ଦୂରେଇ ରଖିବା ପ୍ରଶାସନର ପ୍ରକୃତ ମତିଗତି ଉପରେ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି।
