ଭୁବନେଶ୍ୱର: ଗବେଷଣା ଓ ବିଜ୍ଞାନ ପ୍ରତି ଅବଦାନ ଆଧାରରେ ୨୦୨୫ ପାଇଁ ସାଇ-ରାଙ୍କ ଗ୍ଲୋବାଲ ରେଜିଷ୍ଟ୍ରି ଦ୍ୱାରା ପ୍ରକାଶିତ ସମ୍ମାନଜନକ ‘ଗ୍ଲୋବାଲ୍ ସାଇଣ୍ଟିଷ୍ଟ୍ ଇଣ୍ଡେକ୍ସ’ର ବିଶ୍ୱର ଶ୍ରେଷ୍ଠ ୫ ପ୍ରତିଶତ ବୈଜ୍ଞାନିକ ତାଲିକାରେ କିଟ୍ ବିଶ୍ୱବିଦ୍ୟାଳୟର ୪୫ଜଣ ପ୍ରଫେସର ସ୍ଥାନ ପାଇଛନ୍ତି।
‘ସାଇରାଙ୍କ ଗ୍ଲୋବାଲ୍ ରେଜିଷ୍ଟ୍ରି’ ହେଉଛି ଏକ ସ୍ୱାଧୀନ ଏବଂ ସ୍ୱଚ୍ଛ ଗ୍ଲୋବାଲ୍ ବେଞ୍ଚମାର୍କିଂ ପ୍ଲାଟଫର୍ମ। ଏହା ବାଇବ୍ଲିଓମେଟ୍ରିକ୍ ବିଶ୍ଳେଷଣ ମାଧ୍ୟମରେ କେବଳ ଯୋଗ୍ୟତା ଆଧାରରେ ଗବେଷକମାନଙ୍କ ମୂଲ୍ୟାଙ୍କନ କରିଥାଏ। ୨୦୨୫ ସୂଚକାଙ୍କ ବିଶ୍ୱବ୍ୟାପୀ ୧୦ ନିୟୁତରୁ ଅଧିକ ସକ୍ରିୟ ଗବେଷକ ଏବଂ ପ୍ରାୟ ୫୦ ନିୟୁତ ଗବେଷଣା କାର୍ଯ୍ୟର ପ୍ରୋଫାଇଲ୍ ମୂଲ୍ୟାଙ୍କନ କରାଯାଇଛି। ଶୀର୍ଷ ୫ ପ୍ରତିଶତରେ ସ୍ଥାନ ପାଇଥିବା ବୈଜ୍ଞାନିକମାନଙ୍କୁ ବିଶ୍ୱବ୍ୟାପୀ ସେମାନଙ୍କ ସମକକ୍ଷଙ୍କ ୯୫ ପ୍ରତିଶତ ଅପେକ୍ଷା ଅଧିକ ଉତ୍ପାଦନକ୍ଷମ ଏବଂ ପ୍ରଭାବଶାଳୀ କୁହାଯାଉଛି।
ସାଇରାଙ୍କ ଗ୍ଲୋବାଲ୍ ଦ୍ୱାରା ଗ୍ରହଣ କରାଯାଇଥିବା ପଦ୍ଧତି ଅନୁଯାୟୀ ଗବେଷକମାନଙ୍କୁ ଚୟନ କରିବା ପାଇଁ ‘ସାଧାରଣ କମ୍ପୋଜିଟ୍ ସ୍କୋର’ ବ୍ୟବହାର କରାଯାଏ। ଏହି ସ୍କୋର ପ୍ରକାଶନ, ଉଦ୍ଧୃତି ଏବଂ ଅନ୍ୟାନ୍ୟ ବାଇବ୍ଲିଓମେଟ୍ରିକ୍ ସୂଚକ ଉପରେ ଆଧାରିତ ବୈଜ୍ଞାନିକ ପ୍ରଭାବର ମୂଲ୍ୟାଙ୍କନ କରେ । ଏହା ବ୍ୟତୀତ ଏହି ସୂଚକାଙ୍କ ସମସ୍ତ ପ୍ରମୁଖ ଶିକ୍ଷାଗତ ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ କରେ ଏବଂ ବିଶ୍ୱର ଅନ୍ୟତମ ସର୍ବବୃହତ ମୁକ୍ତ-ଉତ୍ସ ଗବେଷଣା ଡାଟାବେସ୍ ‘ଓପନ୍ ଆଲେକ୍ସ’ର ତଥ୍ୟ ଆଧାରରେ ସ୍ୱଚ୍ଛତା ଏବଂ ଅନ୍ତର୍ଭୁକ୍ତି ସୁନିଶ୍ଚିତ କରିଥାଏ।
ଏହି ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, ଏହି ସମ୍ମାନଜଣକ ବିଶ୍ୱ ତାଲିକାରେ କିଟ୍ ପ୍ରଫେସରମାନେ ସାମିଲ ହେବା ଦ୍ୱାରା କିଟ୍ର ଅନ୍ତର୍ଜାତୀୟ ଶୈକ୍ଷିକ ସ୍ଥିତି ଆହୁରି ମଜବୁତ ହେବ। ଏହା ସହ ଗବେଷଣା ସହଯୋଗ, ନବସର୍ଜନା ଏବଂ ଛାତ୍ର ପରାମର୍ଶ ପାଇଁ ଉନ୍ନତ ସୁଯୋଗ ସୃଷ୍ଟି ହେବ।
