Minister Mukesh Mahaling: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କାର୍ ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ଭୁବନେଶ୍ବର:ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଗୁରୁବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । କେନ୍ଦୁଝର ତେଲକୋଇ ୪୯ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ବେଳେ ଏହା ଘଟିଛି । ସୌଭାଗ୍ୟବଶତଃ ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି ।
ପ୍ରାରମ୍ଭିକ ସୂଚନା ମୁତାବକ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୟୂରଭଞ୍ଜ ଅଭିମୁଖେ ଯାଉଥିଲେ । ୪୯ନଂ ଜାତୀୟ ରାଜପଥର କେନ୍ଦୁଝର ତେଲକୋଇ ଥାନା ଅଧୀନ ଜଗମୋହନପୁର ଛକରେ ସମ୍ମୁଖରେ ଯାଉଥିବା ସୁରକ୍ଷା ଗାଡ଼ି (ପାଇଲଟ୍ ଗାଡ଼ି ) ହଠାତ୍ ବ୍ରେକ୍ ଦେଇଥିଲେ। ଫଳରେ ପଛରେ ଥିବା ମନ୍ତ୍ରୀଙ୍କ ଗାଡ଼ି ପାଇଲଟ୍ ଗାଡ଼ି ସହ ଧକ୍କା ହୋଇଥିଲା। ତୁରନ୍ତ ମନ୍ତ୍ରୀଙ୍କୁ ଗାଡ଼ି ଭିତରୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା । ଗାଡ଼ିର ଏୟାରବ୍ୟାଗ୍ ଠିକ୍ ସମୟରେ ଖୋଲିଯିବା ଯୋଗୁଁ ମନ୍ତ୍ରୀ କିମ୍ବା ତାଙ୍କ ସହ ଥିବା ଅନ୍ୟ କୌଣସି ବ୍ୟକ୍ତି ଗୁରୁତର ଆହତ ହୋଇନାହାନ୍ତି ।
ଗାଡ଼ିରୁ ଓହ୍ଲାଇ ଅନ୍ୟ ଏକ କାର୍ରେ ସେ ମୟୂରଭଞ୍ଜ ଗସ୍ତ କରିଛନ୍ତି । ଅନ୍ୟପଟେ ସ୍ଥାନୀୟ ତେଲକୋଇ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ରାସ୍ତାରୁ ହଟାଇବାର ବ୍ୟବସ୍ଥା କରିଛି ।
