Latest Odisha News

BREAKING NEWS

PM Modi’s Rairangpur Tour: ମୋଦିଙ୍କ ରାଇରଙ୍ଗପୁର ଗସ୍ତ ପୂର୍ବରୁ ତେଜିଲା ଓଡ଼ିଶା ରାଜନୀତି, ସଫଳତା-ବିଫଳତାକୁ ନେଇ ମୁହାଁମୁହିଁ ଶାସକ-ବିରୋଧୀ

ଭୁବନେଶ୍ୱର: ଶନିବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କରିବେ ତାଙ୍କ ଗାଁ ପରିଦର୍ଶନ । ଗୋଟିଏ ମଞ୍ଚରେ ଏକାଠି ହୋଇ ଓଡିଶାବାସୀଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ । ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଇରଙ୍ଗପୁର ଗସ୍ତ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ମୋହନ ମାଝୀ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିଜେପି ନିଜ ସରକାରର ସଫଳତାକୁ ଜନତାଙ୍କ ସମ୍ମୁଖରେ ରଖିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି।

ବିଜେପିର ଦାବି ଅନୁସାରେ, ଡବଲ ଇଞ୍ଜିନ ସରକାର ଆସିବା ପରେ ରାଜ୍ୟରେ ଉନ୍ନୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ପାନୀୟ ଜଳ, ରାସ୍ତାଘାଟ, ମହିଳା ସଶକ୍ତିକରଣ ଓ ଆଦିବାସୀ କଲ୍ୟାଣ କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯାଇଥିବା ଦଳ କହିଛି। ଏନେଇ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଓଡ଼ିଶା ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ହେବ। ଆଜି ରାଇରଙ୍ଗପୁରରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଗୋଟିଏ ମଞ୍ଚରେ ଏକତ୍ରିତ ହେବେ । ରାଜ୍ୟର ବିକାଶ ପାଇଁ ବହୁ ମୂଲ୍ୟର ପ୍ରକଳ୍ପ ଉନ୍ମୋଚନ କରିବେ”, ବୋଲି ମନମୋହନ କହିଛନ୍ତି ।

ଅନ୍ୟପଟେ ବିରୋଧୀ ଦଳଗୁଡ଼ିକ ସରକାରର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଡବଲ ଇଞ୍ଜିନ୍, ଡବଲ ବିଫଳତା କହି ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ଏନେଇ ବିଜେଡି ବିଧାୟକ ଶାରଦା ପ୍ରସନ୍ନ ଜେନା କହିଛନ୍ତି, ଙ୍କ କହିବା ଅନୁଯାୟୀ, ନିଯୁକ୍ତି, କୃଷି, ଆଇନଶୃଙ୍ଖଳା ଓ ଦୈନନ୍ଦିନ ଜନସମସ୍ୟାର ସମାଧାନରେ ସରକାର ଆଶା ଅନୁଯାୟୀ କାମ କରିପାରିନାହାନ୍ତି। ସରକାର ଯଦି ରାଜ୍ୟ ଶାସନଭାର ସମ୍ଭାଳିବାକୁ ଅସମର୍ଥ, ତେବେ ଏହାକୁ ଶୀଘ୍ର ତ୍ୟାଗ କରିବା ଉଚିତ।

ସେହିପରି କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ମଧ୍ୟ ଶିକ୍ଷା, ମହିଳା ସୁରକ୍ଷା ଓ ପ୍ରଶାସନିକ ପରିଚାଳନାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବିକାଶର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ସରକାର ଏବେ ବିନାଶର ଧାରାରେ ଆଗକୁ ବଢ଼ୁଛିନ୍ତି । ଏନେଇ ସାଲୁଜା କହିଛନ୍ତି, ରାଜ୍ୟରେ ପାଠ୍ୟପୁସ୍ତକରେ ତ୍ରୁଟି, ନାରୀ ନିର୍ଯାତନାରେ ବୃଦ୍ଧି, ପରୀକ୍ଷା ପରିଚାଳନାରେ ସମସ୍ୟା ଆଦି ଡବଲ ଇଞ୍ଜିନ ସରକାରରେ ବଢିଛି ।ତାଙ୍କ ମତରେ, ଅନେକ କ୍ଷେତ୍ରରେ ଆଶା କରାଯାଇଥିବା ପରିବର୍ତ୍ତନ ଦେଖିବାକୁ ମିଳିନାହିଁ।

ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, କେତେକ କ୍ଷେତ୍ରରେ ସରକାର ପଦକ୍ଷେପ ନେଇଥିଲେ ମଧ୍ୟ ପ୍ରଶାସନିକ କ୍ଷେତ୍ରରେ ଆହୁରି ଗତି ଆଣିବାର ଆବଶ୍ୟକତା ରହିଛି।

ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ କେବଳ ବିକାଶର ବାର୍ତ୍ତା ନୁହେଁ, ଆଗାମୀ ରାଜନୈତିକ ଦିଗ ନିର୍ଣ୍ଣୟର ଏକ ମହତ୍ୱପୂର୍ଣ୍ଣ ମଞ୍ଚ ଭାବେ ମଧ୍ୟ ଦେଖାଯାଉଛି।

Leave A Reply

Your email address will not be published.