ନୂଆଦିଲ୍ଲୀ: ସୁରକ୍ଷା ପାଇଁ ଫୁଟପାଥରେ ଚାଲିବା ସାଧାରଣ ଲୋକଙ୍କର ମୌଳିକ ଅଧିକାର। ଏନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର ଦିନ ଦିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ସୁରକ୍ଷିତ ଏବଂ ସୀମାବଦ୍ଧ ଫୁଟପାଥରେ ଚାଲିବାର ଅଧିକାର ଏକ ମୌଳିକ ଅଧିକାର ଏବଂ ଯାନବାହନ ଚଳାଚଳ ଅପେକ୍ଷା ଏହାକୁ ଅଧିକ ପ୍ରାଥମିକତା ଦିଆଯିବା ଉଚିତ।
ସୁପ୍ରିମକୋର୍ଟ କହିଛନ୍ତି ଯେ ରାସ୍ତାରେ ପଥଚାରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ଏବଂ ଭଲ ଭାବରେ ରକ୍ଷଣାବେକ୍ଷଣ କରାଯାଇଥିବା ଫୁଟପାଥ ନିଶ୍ଚିତ କରିବା ଅତ୍ୟାବଶ୍ୟକ। ନିର୍ଦ୍ଧାରିତ ଫୁଟ୍ପାଥରେ ଗାଡ଼ିମୋଟର ଅପେକ୍ଷା ପଥଚାରୀଙ୍କ ଅଧିକାର ପ୍ରଥମ ବୋଲି ଜଷ୍ଟିସ୍ ପି.ଏସ୍. ନରସିଂହା ଏବଂ ଏ.ଏସ୍. ଚନ୍ଦୁରକରଙ୍କ ଖଣ୍ଡପୀଠ କହିଛନ୍ତି। ଉକ୍ତ ଅଧିକାର ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଡି)ରେ ଦିଆଯାଇଥ୍ତ୍ବା ମୁକ୍ତ ଭାବେ ଚଳପ୍ରଚଳ କରିବା ଅଧିକାର ଏବଂ ଅନୁଚ୍ଛେଦ ୨୧ରେ ଦିଆଯାଇଥିବା ଜୀବନ ଧାରଣ ଓ ସ୍ବାଧୀନତା ଅଧିକାରର ଅଂଶବିଶେଷ ବୋଲି ରାୟରେ କୁହାଯାଇଛି।
ଏକ ଦୁର୍ଭାଗ୍ୟଜନକ ଗାଡ଼ି ଦୁର୍ଘଟଣା କ୍ଷତିପୂରଣକୁ ନେଇ ଶୀର୍ଷ ଅଦାଲତ ଉପରୋକ୍ତ ଘୋଷଣା କରିଛନ୍ତି। ଜଣେ ବାପା ତାଙ୍କର ୫ ବର୍ଷର ପୁଅକୁ ସ୍କୁ୍ଲ ନେଉଥିବାବେଳେ ଦୁର୍ଘଟଣାରେ ତାଙ୍କୁ ହରାଇଥିଲେ। ଏହାର ଶୁଣାଣି କରି ସମ୍ବିଧାନର ଭାଗ-୩ରେ ଚାଲିବା ଅଧିକାର ଏକ ମୌଳିକ ଅଧିକାର ବୋଲି ଖଣ୍ଡପୀଠ କହିଛନ୍ତି। ଏହାର କାର୍ଯ୍ୟକାରିତା ନିମନ୍ତେ ଏକ ନିୟାମକ ଗଠନ ସପକ୍ଷରେ ସୁପ୍ରିମକୋର୍ଟ ମତ ଦେଇଛନ୍ତି। ଚାଲିବା ଅଧିକାରର ଉଲ୍ଲଂଘନ କ୍ଷେତ୍ରରେ କ୍ଷତିପୂରଣ ଏବଂ ପୂର୍ବ ସ୍ଥିତି ଫେରାଇ ଆଣିବା ଉପଚାର ପାଇଁ ନାଗରିକ ହକ୍ଦାର ବୋଲି ଖଣ୍ଡପୀଠ କହିଛନ୍ତି।
ଫୁଟପାଥ୍ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ନଗର ଉନ୍ନୟନ କର୍ତ୍ତୃପକ୍ଷ, ନଗର ନିଗମ, ପୌରପାଳିକା ଏବଂ ପଞ୍ଚାୟତର। ସେମାନେ ଫୁଟପାଥ୍ ଏବଂ ଅନ୍ୟାନ୍ୟ ପଥଚାରୀ ଭିତ୍ତିଭୂମିର ଡିଜାଇନ୍, ନିର୍ମାଣ, ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ଉଚିତ। କାରଣ ପଥଚାରୀଙ୍କ ପାଇଁ ହିଁ ଏହି ଫୁଟପାଥ୍ ଡିଜାଇନ କରାଯାଇଛି। ନିର୍ଦ୍ଧାରିତ ଫୁଟ୍ପାଥରେ ଚାଲିବା ମୌଳିକ ଅଧିକାରୀକୁ ବୃଦ୍ଧି ଏବଂ କାର୍ଯ୍ୟକାରୀ କରିବା ପାଇଁ ଏକ ନିୟାମକ ସଂସ୍ଥା ଗଠନ କରିବା ଜରୁରୀ। ଏଭଳି ଏକ ସଂସ୍ଥା ସଂସ୍ଥାଗତ ସ୍ମୃତିକୁ ବିକଶିତ କରିପାରିବ। ଏହା ସଂଗ୍ରହ କରିଥିବା ଅଭିଜ୍ଞତା, ତଥ୍ୟ ଏବଂ ସୂଚନା ଆଧାରରେ କାର୍ଯ୍ୟ କରିପାରିବ ବୋଲି ଖଣ୍ଡପୀଠ କହିଛନ୍ତି। ସଂସ୍ଥାଗତ ଅଭିଜ୍ଞତା ଗୁରୁତ୍ୱପୂର୍ଣ୍ଣ। ଏଭଳି ରେଗୁଲେଟର ଦକ୍ଷ ଏବଂ ଅଭିଜ୍ଞ ମାନବ ସମ୍ବଳକୁ ନିଯୁକ୍ତ କରିବାକୁ ଅଦାଲତ ପରାମର୍ଶ ଦେଇଛନ୍ତି।
