CM Performs Yoga: “ମୋବାଇଲ୍ ଛାଡ଼, ମ୍ୟାଟ୍ ଧର”, ଅନ୍ତର୍ଜାତୀୟ ଯୋଗ ଦିବସରେ ଯୁବପିଢିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଆହ୍ବାନ
ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳୁଛି ବିଶ୍ବ । ସବୁଠି ଜମିଛି ଯୋଗର ଆସର । ଏହି ଅବସରରେ ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଯୋଗାଭ୍ୟାସକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ଯୋଗର କୌଣସି ବିକଳ୍ପ ନାହିଁ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଔଷଧ ଖାଇବା ପୂର୍ବରୁ ଯୋଗ କର। ବୟସ୍କମାନଙ୍କ ପାଇଁ ଯୋଗ ହିଁ ବାର୍ଦ୍ଧକ୍ୟର ସର୍ବଶ୍ରେଷ୍ଠ ଔଷଧ।” ବୟସ ବଢ଼ିବା ସହିତ ରକ୍ତଚାପ, ମାନସିକ ଚାପ ଓ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିଥାଏ। ତେଣୁ ସେଗୁଡ଼ିକୁ ଦୂରେଇ ରଖିବା ପାଇଁ ଯୋଗ ଓ ପ୍ରାଣାୟାମକୁ ଜୀବନଶୈଳୀରେ ସାମିଲ କରିବାକୁ ସେ ପରାମର୍ଶ ଦେଇଥିଲେ।
ଏଥିସହିତ ଯୁବପିଢ଼ିଙ୍କୁ ଉଦ୍ଦେଶ୍ୟ କରି ମୁଖ୍ୟମନ୍ତ୍ରୀ କହିଥିଲେ, “ମୋବାଇଲ୍ ଛାଡ଼, ମ୍ୟାଟ୍ ଧର।” ସୋସିଆଲ ମିଡିଆରେ ସମୟ ନଷ୍ଟ ନକରି ପ୍ରତିଦିନ ଅତି କମରେ ୨୦ରୁ ୩୦ ମିନିଟ୍ ଯୋଗାଭ୍ୟାସ କରିବାକୁ ସେ ଯୁବପିଢିଙ୍କୁ ଆହ୍ୱାନ ଦେଇଥିଲେ। ଯୋଗ ଆତ୍ମବିଶ୍ୱାସ ବଢ଼ାଇବା ସହ ଅନେକ ରୋଗରୁ ଦୂରେଇ ରଖେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆଜି ଭାରତର ସୀମା ଟପି ବିଶ୍ୱର ଅଧିକାଂଶ ଦେଶରେ ଯୋଗ ଦିବସ ପାଳନ କରାଯାଉଛି। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ବ୍ୟାପକ ଭାବେ ଯୋଗ ଦିବସ ପାଳିତ ହୋଇଛି। ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ଯୋଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ଅବସରରେ ରାଜ୍ୟରେ ଯୋଗର ପ୍ରସାର ନେଇ ମଧ୍ୟ ବଡ଼ ଘୋଷଣା କରାଯାଇଛି। ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ଯୋଗ ସମ୍ପର୍କିତ ଅଧ୍ୟାୟ ସାମିଲ କରାଯିବା ସହ ଯୋଗକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ସରକାର ଯୋଜନା କରୁଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିକଟସ୍ଥ ବିଞ୍ଝାଗିରି ଅଞ୍ଚଳରେ ପ୍ରାୟ ୨୦ ଏକର ଜମିରେ ଏକ ସ୍ୱତନ୍ତ୍ର ଯୋଗ ଅନୁଷ୍ଠାନ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଯୋଗକୁ ଘରେ ଘରେ ପହଞ୍ଚାଇ ସୁସ୍ଥ ଓଡ଼ିଶା ଗଠନ କରିବା ହିଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।
