ଭୁବନେଶ୍ବର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାର ପେରିଆପାଲୟମରେ ଗ୍ୟାସ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଆହତ ଶ୍ରମିକଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏଥିସହିତ ସେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF)ରୁ ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।ଏହି କଷ୍ଟକର ସମୟରେ ରାଜ୍ୟ ସରକାର ପ୍ରଭାବିତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
ସେହିପରି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କ ସହାୟତା ଏବଂ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୩ ଜଣିଆ ବରିଷ୍ଠ ସରକାରୀ ଅଧିକାରୀଙ୍କ ଏକ ଟିମ୍ ତୁରନ୍ତ ତାମିଲନାଡୁର ତିରୁଭାଲୁର ଅଭିମୁଖେ ଯାତ୍ରା କରିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁ ମୁଖ୍ୟ ଶାସନ ସଚିବଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ପେରିୟାପାଲାୟମ ନିକଟସ୍ଥ ଏହି ଚିଙ୍ଗୁଡ଼ି ରପ୍ତାନି କାରଖାନାରେ ଓଡ଼ିଶା, ଆସାମ ଏବଂ ଝାଡ଼ଖଣ୍ଡର ଶତାଧିକ ପ୍ରବାସୀ ଶ୍ରମିକ କାମ କରୁଥିଲେ। ରବିବାର ଛୁଟିଦିନ ଥିବାରୁ ଅଧିକାଂଶ ଶ୍ରମିକ କାରଖାନା ପରିସରରେ ଥିବା ରହୁଥିବା କ୍ୱାର୍ଟର୍ସରେ ହିଁ ଉପସ୍ଥିତ ଥିଲେ। ମାତ୍ର ହଠାତ୍ କୁଲିଂ ସିଷ୍ଟମରୁ ବିଷାକ୍ତ ଆମୋନିଆ ଗ୍ୟାସ୍ ବ୍ୟାପିବା ଯୋଗୁଁ ସେମାନେ ନିଶ୍ୱାସ ପ୍ରଶ୍ୱାସ ନେଇ ନପାରି ଛଟପଟ ହୋଇଥିଲେ। ଗ୍ୟାସର ପ୍ରଭାବ ଏତେ ଭୟଙ୍କର ଥିଲା ଯେ କିଛି ମହିଳା ଶ୍ରମିକଙ୍କ ନାକ ଓ ପାଟିରୁ ରକ୍ତ ସ୍ରାବ ହୋଇଥିଲା ଏବଂ ସେମାନେ ସେଠାରେ ହିଁ ଚେତାଶୂନ୍ୟ ହୋଇ ପଡ଼ିଥିଲେ।
